Unknown

 

 

 

 

 

 

 

 

 

ବ୍ରହ୍ମାଣ୍ଡ ଭୂଗୋଳ

ଦୀନକୃଷ୍ଣ ଦାସ

 

ପ୍ରଥମ ଅଧ୍ୟାୟ

 

ହେ ଦେବଦେବ ଜଗନ୍ନାଥ ।

ଭକ୍ତବତ୍ସଳ ଗୋପୀନାଥ । ୧ ।

 

ତୁମ୍ଭେ ଯେ ସଂସାରର ସେତୁ ।

ସର୍ବ କର୍ମର ଅଟ ହେତୁ । ୨ ।

 

ତୁମ୍ଭ କୃପାରେ ମୂଢ଼ ନର ।

ସୁଧିଏ କରନ୍ତି ଆଦର । ୩ ।

 

ତେଣୁ ଶରଣ ବଳରାମ ।

ଦିଅ ହେ ପ୍ରଭୁ ଦିବ୍ୟଜ୍ଞାନ । ୪ ।

 

ବ୍ରହ୍ମାଣ୍ଡ ଭୂଗୋଳେ ଆପଣ ।

ପାର୍ଥେ କହିଲ ଯେଉଁ ଜ୍ଞାନ । ୫ ।

 

ତାହା ମୁଁ କରିବି ଲିଖନ ।

ଏହି ମୋହର ମନସ୍କାମ । ୬ ।

 

ପୂରଣ କର ଚକ୍ରଧର ।

ପ୍ରଣାମ ଶତ ସସ୍ରବାର । ୭ ।

 

ଶ୍ରୀ ଅର୍ଜୁନ ଉବାଚ - ଅର୍ଜୁନ ବେନିକର ଯୋଡ଼ି ।

କହେ ଗୋବିନ୍ଦ ପାଦେ ପଡ଼ି । ୮ ।

 

ଭୋ ନାଥ ଆରତ ଭଞ୍ଜନ ।

କରୁଣାସିନ୍ଧୁ ଜନାର୍ଦ୍ଦନ । ୯ ।

 

ନମସ୍ତେ ପ୍ରଭୁ ଦିବ୍ୟରୂପୀ ।

ସକଳ ଦେହେ ଅଛ ବ୍ୟାପୀ । ୧୦ ।

 

ମୁକତି ଲଭିବି କେମନ୍ତେ ।

ଏମନ୍ତ ଆଜ୍ଞା ହେଉ ମୋତେ । ୧୧ ।

 

ଶ୍ରୀକୃଷ୍ଣ ଗୋବିନ୍ଦ ଗୋପାଳ ।

କହ ହେ ବ୍ରହ୍ମାଣ୍ଡ ଭୂଗୋଳ । ୧୨ ।

 

ଏ ଭାଗବତ ଧର୍ମ ଅର୍ଥ ।

ଦୟାକର ହେ ଗୋପୀନାଥ । ୧୩ ।

 

 

କହ କେଶବ ତୋଷମନେ ।

ନମଇ ତୁମ୍ଭର ଚରଣେ । ୧୪ ।

 

ମାୟା ନକରି ମୋତେ କହ ।

ଫିଟାଅ ମୋ ମନୁ ସଂଶୟ । ୧୫ ।

 

ଶ୍ରୀଭଗବାନୁବାଚ - ଭକତ ସ୍ତୁତି ଶୁଣି କର୍ଣ୍ଣେ ।

କହନ୍ତି ପ୍ରଭୁ ତୋଷମନେ । ୧୬ ।

 

ଶୁଣ ଭକତ ଦେଇ ଚିତ୍ତେ ।

କହିବା ଭାଗବତ ଅର୍ଥେ । ୧୭ ।

 

ମନକୁ କର ତୁ ନିଶ୍ଚଳ ।

ହତା ବ୍ରହ୍ମାଣ୍ଡ ଭୂଗୋଳ । ୧୮ ।

 

ଶୁଣ ହେ ପାର୍ଥ ମନ ଦେଇ ।

କହିବା ଭାଗବତ ଫେଇ । ୧୯।

 

ଯେ କାଳେ ନ ଥିଲା ସଂସାର ।

ନ ଥିଲେ ଚନ୍ଦ୍ର ଦିବାକର । ୨୦ ।

 

 

ନ ଥିଲା ଦିବସ ରଜନୀ ।

ନ ଥିଲା ଭୁବନ ମେଦିନୀ । ୨୧ ।

 

ଆଦ୍ୟରୁ ନ ଥିଲା ପବନ ।

ନ ଥିଲେ ଶୂନ୍ୟେ ତାରାଗଣ । ୨୨ ।

 

ନ ଥିଲେ ଦେବାସୁର-ନର ।

ନ ଥିଲା ସଂସାର ପ୍ରଚାର । ୨୩ ।

 

ନ ଥିଲା ଜଳ ସ୍ଥଳାନିଳ ।

ନ ଥିଲା ଗଗନ ମଣ୍ଡଳ । ୨୪ ।

 

ନ ଥିଲେ ବରୁଣ କୁବେର ।

ନ ଥିଲା ତେଜ ଆଉ ନୀର । ୨୫ ।

 

ନ ଥିଲେ ବ୍ରହ୍ମା ବିଷ୍ଣୁ ଶିବ ।

ନ ଥିଲେ ବେଦର ସ୍ୱଭାବ । ୨୬ ।

 

ସେ କାଳେଶୂନ୍ୟ ମୋର ରୂପ ।

ଏମନ୍ତେ ଗଲା କୋଟିକଳ୍ପ । ୨୭ ।

 

 

ବ୍ରହ୍ମାଣ୍ଡ ମୋର ଗର୍ଭେ ନେଇ ।

ରଖିଲି ବ୍ରହ୍ମରୂପ ହୋଇ । ୨୮ ।

 

କେହି ନ ଥିଲେ ହେ ଅର୍ଜୁନ ।

ବ୍ରହ୍ମାଣ୍ଡ ହୋଇଥିଲା ଶୂନ୍ୟ । ୨୯ ।

 

ଏମନ୍ତେ କୋଟିକଳ୍ପ ଅନ୍ତେ ।

ଦୟା ଉପୁଜିଲା ମୋ ଚିତ୍ତେ । ୩୦ ।

 

ସୃଷ୍ଟି କାରଣେ ବାଞ୍ଛା ହେଲା ।

ମୋ ଅଙ୍ଗ ବିନ୍ଦୁ ଉଛୁଳିଲା । ୩୧ ।

 

ସେ ବିନ୍ଦୁ ତ୍ରୟଭାଗ ହେଲା ।

ତ୍ରିବୀଜ ରସ ବୋଲାଇଲା । ୩୨ ।

 

ସେ ବିନ୍ଦୁ ହସ୍ତରେ ଧରିଲି ।

ତ୍ରୟଅଙ୍ଗୁଳେ ଗଳାଇଲି । ୩୩ ।

 

ତ୍ରୟ ବୀଜରୁ ତ୍ରୟ ଦେବ ।

ହୋଇଲା ବ୍ରହ୍ମା ବିଷ୍ଣୁ ଶିବ । ୩୪ ।

 

 

ଏ ତିନିମୂର୍ତ୍ତିଠାରୁ ପୁଣ ।

ଉତ୍ପତ୍ତି ହେଲା ରାମ ନାମ । ୩୫ ।

 

ନାମରୁ ଭାଗବତ ହେଲା ।

ତେଣୁ ଦ୍ୱିଗୁଣ ବୋଲାଇଲା । ୩୬ ।

 

କହଇ ବଳରାମ ଦାସ ।

ପ୍ରଥମ ଅଧ୍ୟା ହେଲା ଶେଷ । ୩୭ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ

ନାମ ପ୍ରଥମୋଽଧ୍ୟାୟଃ ।

 

ଦ୍ୱିତୀୟ ଅଧ୍ୟାୟ

 

ଅର୍ଜ୍ଜୁନ ଉବାଚ - ଅର୍ଜୁନ ବିନୟ ଭାବରେ ।

ପଡ଼ଇ କୃଷ୍ଣଙ୍କ ପୟରେ । ୧ ।

 

କଥାଏ ପଡ଼ିଲା ମୋ ମନ ।

କହ ହେ ପ୍ରଭୁ ଭଗବାନ । ୨ ।

 

ଭାଗବତ ଯେ ବୋଲାଇଲା ।

କେମନ୍ତେ ଏକାଦଶ ହେଲା । ୩ ।

 

ଏ କଥା କହ ଭାବଗ୍ରାହୀ ।

ଭାଗବତ ଯେ ପୁଣ ଫେଇ । ୪ ।

 

ଶ୍ରୀଭଗବାନୁବାଚ - କହନ୍ତି ପ୍ରଭୁ ଦଇତାରି ।

ଶୁଣ ଅର୍ଜୁନ ହେତୁ କରି । ୫ ।

 

ମାତା ପିତାଙ୍କ ରଜ ବୀଜ ।

ତେଣୁ ହୋଇଲା ମହାତେଜ । ୬ ।

 

 

ରଜୋବୀଜକୁ ଭାଗକଲା ।

ଏମନ୍ତେ ଭାଗବତ ହେଲା । ୭ ।

 

ଏକାଦଶ ଇନ୍ଦ୍ରିୟଗଣ ।

ରଜୋବୀଜରୁ ଜାତ ପୁଣ । ୮ ।

 

ବେଦରୁ ବ୍ରହ୍ମ ଏକ ହୋଇ ।

ଏକାଦଶ ଏହୁ ବୋଲାଇ । ୯ ।

 

ଦ୍ୱିତୀୟ ଅଧ୍ୟା ହେଲା ଶେଷ ।

କହଇ ବଳରାମ ଦାସ । ୧୦ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଦ୍ୱିତୀୟୋଽଧ୍ୟାୟଃ ।

 

ତୃତୀୟ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଲଇ ଗୋସାଇଁ ।

କଥାଏ ମନେ ପଡ଼ିଲଇଁ । ୧ ।

 

ଗୀତା ସ୍ମୃତି ଯେତେକ ତତ୍ତ୍ୱ ।

କାହୁଁ ଏ ଶାସ୍ତ୍ର ହେଲା ଜାତ । ୨ ।

 

ଏତେକ ଶାସ୍ତ୍ର ଜାତ କଲ ।

କାହୁଁ କେମନ୍ତେ ଭିଆଇଲ । ୩ ।

 

ସେ ତତ୍ତ୍ୱ କହ ମୋତେ ଫେଇ ।

ନମସ୍ତେ ପ୍ରଭୁ ଭାବଗ୍ରାହୀ । ୪ ।

 

ଭୃତ୍ୟ ବଚନ ଶୁଣି କର୍ଣ୍ଣେ ।

କହନ୍ତି କୋମଳ ବଚନେ । ୫ ।

 

ଶ୍ରୀଭଗବାନୁବାଚ - ଶୁଣ ଅର୍ଜୁନ ମନଦେଇ ।

କହିବା ଭାଗବତ ଫେଇ । ୬ ।

 

 

ଏମନ୍ତେ ମହାପୂଣ୍ୟ ହେଲା ।

ସେ ଶୂନ୍ୟୁ ପ୍ରଣବ ହୋଇଲା । ୭ ।

 

ପ୍ରଣବ ଓଁ କାରକୁ କହି ।

ଏକାକ୍ଷରଟି ସେ ଅଟଇ । ୮ ।

 

ଓଁ କାରୁ ନାମ ହେଲା ଜାତ ।

ନାମରୁ ବେଦଟି ସମ୍ଭୂତ । ୯ ।

 

ଓଁ କାରୁ ନାମ ଜାତ ହେଲା ।

ନାମଟି ଶାସ୍ତ୍ର ବୋଲାଇଲା । ୧୦ ।

 

ଦେହକୁ ଶାସ୍ତ୍ର ବୋଲି କହି ।

ନାମଟି ଶରୀରେ ବସଇ । ୧୧ ।

 

ରାତ୍ର ଦିବସ ଭଜୁଥାଇ ।

ତିଳେହେଁ ନାମ ନ ଛାଡ଼ଇ । ୧୨ ।

 

ଏମନ୍ତେ ଶାସ୍ତ୍ର ହେଲା ଜାତ ।

ଶୁଣ ଅର୍ଜୁନ ଭାଗବତ । ୧୩ ।

 

ଭଣିଲେ ବଳରାମ ଦାସ ।

ସେ ବ୍ରହ୍ମ ପାଦେ ମୋର ଆଶ । ୧୪ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ତୃତୀୟୋଽଧ୍ୟାୟଃ ।

 

ଚତୁର୍ଥ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜ୍ଜୁନ ଶିରେ ଦେଇ କର ।

ବୋଲ ହେ ବ୍ରହ୍ମାଣ୍ଡଠାକୁର । ୧ ।

 

ଷଡ଼ସମ୍ବାଦ କାହୁଁ ହେଲା ।

ଏ କଥା ସଂଶୟ ଲାଗିଲା । ୨ ।

 

ଷଡ଼ସମ୍ବାଦ ଅର୍ଥ କହ ।

ମନରୁ ଫେଡ଼ ମୋ ସନ୍ଦେହ । ୩ ।

 

ଶ୍ରୀଭଗବାନୁଉବାଚ - ଶୁଣ ଅର୍ଜୁନ ଦେଇ ଚିତ୍ତ ।

କହିବା ତୋତେ ଜ୍ଞାନ ତତ୍ତ୍ୱ । ୪ ।

 

ଷଡ଼ସମ୍ବାଦ ଅର୍ଥ ଶୁଣ ।

ହୃଦରେ ଗଣ୍ଠିକରି ଘେନ । ୫ ।

 

ପୂର୍ବେ ହୋ ଏକାକ୍ଷର ଥିଲା ।

ଅନନ୍ତ ମୁଖରୁ କ୍ଷରିଲା । ୬ ।

 

 

ଏକାକ୍ଷର ବାସୁକି ହସ୍ତେ ।

ବାସୁକି ଦେଲେ ବ୍ରହ୍ମାହସ୍ତେ । ୭ ।

ବ୍ରହ୍ମା ତା ଦେଲେ ନାରଦଙ୍କୁ ।

ନାରଦ କହିଲେ ବ୍ୟାସଙ୍କୁ । ୮ ।

ବ୍ୟାସ ତା’ ଶୁକ ହସ୍ତେ ଦେଲେ ।

ଶୁକ ତା’ ପରୀକ୍ଷେ କହିଲେ । ୯ ।

ପରୀକ୍ଷଠାରୁ ସୁତଋଷି ।

ସନକ ଆଗରେ ପ୍ରକାଶି । ୧୦ ।

ସନକ ମୈତ୍ରେୟେ କହିଲେ ।

ମୈତ୍ରେୟେ ବିଦୂରେ ଭାଷିଲେ । ୧୧ ।

ଏମନ୍ତେ ଭାଗବତ ଧର୍ମ ।

ଷଡ଼ ପ୍ରକାରେ ଏହି ମର୍ମ । ୧୨ ।

ଶୁଣି ଅର୍ଜୁନ ହେଲେ ତୋଷ ।

ଭଣିଲେ ବଳରାମ ଦାସ । ୧୩ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଚତୁର୍ଥୋଽଧ୍ୟାୟଃ ।

 

ପଞ୍ଚମ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଇଲେ ଗୋସାଇଁ ।

ସଂଶୟ ଫେଡ଼ ଭାବଗ୍ରାହୀ । ୧ ।

 

ପୂର୍ବେ ଯେ ଏକାକ୍ଷର ହେଲା ।

କେମନ୍ତେ ମୁଖରୁ କ୍ଷରିଲା । ୨ ।

 

ପୂର୍ବେ ବୋଲିଣ କେହୁ ପୁଣ ।

ଏକ ଅକ୍ଷର କେ ପ୍ରମାଣ । ୩ ।

 

ମୁଖରୁ କେମନ୍ତେ କ୍ଷରିଲା ।

ବାସୁକି ହସ୍ତରେ କେ ଦେଲା । ୪ ।

 

ଅନନ୍ତ କେ ଅବା ବୋଲାଇ ।

ବାସୁକି କାହାକୁଟି କହି । ୫ ।

 

ବ୍ରହ୍ମା ସେ କେହି ବୋଲି ଜାଣି ।

ନାରଦ କେ ଅଟଇ ପୁଣି । ୬ ।

 

 

ବ୍ୟାସ ଋଷିଟି କେ ହୋଇଲେ ।

ଶୁକ କେ ପୁଣ ବୋଲାଇଲେ । ୭ ।

 

ପରୀକ୍ଷ କାହାକୁଟି କହି ।

ସୁତଋଷିଟି କେ ବୋଲାଇ । ୮ ।

 

ସନକ କାହାକୁଟି କହି ।

ମଇତ୍ରେୟଟି କେ ବୋଲାଇ । ୯ ।

 

ବିଦୂର ପୁଣି କେ ଅଟଇ ।

ଫେଡ଼ି କହିବା ଯଦୁସାଇଁ । ୧୦ ।

 

ଶ୍ରୀ ଭଗବାନୁବାଚ - ଶୁଣ ଅର୍ଜୁନ ଦେଇ ମନ ।

କହିବା ତୋତେ ବ୍ରହ୍ମଜ୍ଞାନ । ୧୧ ।

 

ପୂର୍ବେଟି ମହାଶୂନ୍ୟ ଜାଣ ।

ଅନନ୍ତ ଜ୍ୟୋତିଟି ପ୍ରମାଣ । ୧୨ ।

 

ଓଁ କାର ଏକାକ୍ଷର କହି ।

ଜ୍ୟୋତିରୁ ରକାର ଜନ୍ମଇଁ । ୧୩ ।

 

 

ବାସୁକି ପବନକୁ କହି ।

ରକାରୁ ପବନ କ୍ଷରଇ । ୧୪ ।

 

ନାମଟି ବ୍ରହ୍ମ ବୋଲାଇଲା ।

ଓଁ କାର ତହୁଁ ଜାତ ହେଲା । ୧୫ ।

 

ନାରଦ ତ୍ରିଗୁଣକୁ କହି ।

ଋକାର, ସେହି ଜନ୍ମ ହୋଇ । ୧୬ ।

 

ବ୍ୟାସଟି ଚୈତନ୍ୟ ପୁରୁଷ ।

ଓଁ କାର ତହୁଁ ଯେ ପ୍ରକାଶ । ୧୭ ।

 

ଶୁକ ଯେ ସୁଷୁମୁନା ଦ୍ୱାର ।

ରକାର ଠାରୁ ସେ ବାହାର । ୧୮ ।

 

ନାମଟି ପରୀକ୍ଷ ହୋଇଲା ।

ଓଁ କାରୁ ଶବଦ ହୋଇଲା । ୧୯ ।

 

ସୂତ୍ର ଯେ ସୁତଋଷି ଜାଣ ।

ସନକ ଶକ୍ତିଟି ପ୍ରମାଣ । ୨୦ ।

 

 

ବିନ୍ଦୁଟି ମଇତ୍ରେୟ ହୋଇ ।

ବିଦୂର ଜ୍ଞାନଟି ବୋଲଇ । ୨୧ ।

 

ଶୂନ୍ୟରୁ ବିନ୍ଦୁ ଯେ ଖସିଲା ।

ଷଡ଼ ପ୍ରକାରେ ସେ ହୋଇଲା । ୨୨ ।

 

ଷଡ଼ ସମ୍ବାଦ ହୁଏ ଆସି ।

ମାତା ରଜରେ ଯାଇ ମିଶି । ୨୩ ।

 

ଭାବରୁ ଯାହା ସେ ସଂଭୂତ ।

ଏଣୁଟି ନାମ ଭାଗବତ । ୨୪ ।

 

ଷଡ଼ ପ୍ରକାରେ ସେ ଖସିଲା ।

ଷଡ଼ ସମ୍ବାଦ ବୋଲାଇଲା । ୨୫ ।

 

ଶୁଣି ଅର୍ଜ୍ଜୁନ ହେଲେ ତୋଷ ।

ଭଣିଲେ ବଳରାମ ଦାସ । ୨୬ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ଷଡ଼ସମ୍ବାଦ କଥନେ ନାମ ପଞ୍ଚମୋଽଧ୍ୟାୟଃ ।

 

ଷଷ୍ଠ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଲେ ଭଗବାନ ।

କଥାଏ ପଡ଼ିଲା ମୋ ମନ । ୧ ।

 

ଦ୍ୱାଦଶସ୍କନ୍ଧ କାହୁଁ ହୋଇ ।

ଏକଥା କହ ଭାବଗ୍ରାହୀ । ୨ ।

 

ଦ୍ୱାଦଶସ୍କନ୍ଧ ପଦ ଅଥ ।

ଫେଡ଼ି କହିବା ଜଗନ୍ନାଥ । ୩ ।

 

ଶ୍ରୀଭଗବାନଉବାଚ - ଶୁଣ ଅର୍ଜୁନ ମନ ଦେଇ ।

କହିବା ଭୂଗୋଳକୁ ଫେଇ । ୪ ।

 

ପ୍ରଥମସ୍କନ୍ଧ ତାକୁ କହି ।

ଦ୍ୱିତୀୟସ୍କନ୍ଧ ଲଲାଟହିଁ । ୫ ।

 

ତୃତୀୟସ୍କନ୍ଧ କର୍ଣ୍ଣ କଲା ।

ଚତୁର୍ଥସ୍କନ୍ଧ ଚକ୍ଷୁହେଲା । ୬ ।

 

 

ପଞ୍ଚମସ୍କନ୍ଧ ନାସା ଜାଣ ।

ଷଷ୍ଠସ୍କନ୍ଧ ଯେ ମୁଖ ପୁଣ । ୭ ।

 

ସପ୍ତମସ୍କନ୍ଧ କଣ୍ଠ କହି ।

ଅଷ୍ଟମସ୍କନ୍ଧ ହୃଦ ହୋଇ । ୮ ।

 

ନବମସ୍କନ୍ଧ ନାଭି ପୁଣ ।

ଦଶମସ୍କନ୍ଧ ପଞ୍ଚପ୍ରାଣ । ୯ ।

 

ଏକାଦଶ ଇନ୍ଦ୍ରିୟ କଲା ।

ଦ୍ୱାଦଶ ବାୟୁ ସୂତ୍ର ହେଲା । ୧୦ ।

 

ଦ୍ୱାଦଶସ୍କନ୍ଧ ଯେ ଏମନ୍ତେ ।

ଅର୍ଜୁନ କହିଲି ମୁଁ ତୋତେ । ୧୧ ।

 

ଅର୍ଜୁନ ଶୁଣି ହେଲେ ତୋଷ ।

ଭଣିଲେ ବଳରାମ ଦାସ । ୧୨ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଷଷ୍ଠୋଽଧ୍ୟାୟଃ ।

 

ସପ୍ତମ ଅଧ୍ୟାୟ

 

ଅର୍ଜୁନ ଉବାଚ । - ପୁଣି ଅର୍ଜୁନ ପଚାରଇ ।

ଭୋ ନାଥ କହ ମୋତେ ଫେଇ । ୧ ।

 

ନିଗମକଳ୍ପତରୁ ଅର୍ଥ ।

ଫେଡ଼ି କହ ହେ ଜଗନ୍ନାଥ । ୨ ।

 

ନିଗମ ବୋଲି ଯେ କେମନ୍ତ ।

କିପାଁ ତାହାର ନାହିଁ ଅନ୍ତ । ୩ ।

 

ଶ୍ରୀ ଭଗବାନୁବାଚ - ଶୁଣ ଅର୍ଜୁନ ମନ ଦେଇ ।

କହିବି ଭୂଗୋଳକୁ ଫେଇ । ୪ ।

 

ନିଗମ ବୋଲି ଯାହା କହି ।

ମହାଶୂନ୍ୟଟି ସେ ଅଟଇ । ୫ ।

 

ବେଦ ଯହିଁକି ନ ଗମିଲା ।

ତେଣୁ ନିଗମ ନାମ ହେଲା । ୬ ।

 

 

କଳ୍ପତରୁଟି ଯାହା କହି ।

ନିରାକାରଟି ରୂପ ହୋଇ । ୭ ।

 

ସେଠାରୁ ରସବିନ୍ଦୁ ଗଳି ।

ସେବୀଜ ରସୁ ଫଳ ଫଳି । ୮ ।

 

ଶୁକବୋଲିଣ ଯାହା କହି ।

ଶିଶୁ ଧାରଟି ସେ ଅଟଇ । ୯ ।

 

ବିନ୍ଦୁଟି ସେହି ବାଟେ କ୍ଷରି ।

ଏଣୁ ଏ ଶୁକମୁଖୁଁ ଝରି । ୧୦ ।

 

ବୀଜ ସଂଯୁକ୍ତ ହୋଇଖସି ।

ମାତା ରଜରେ ଯାଇଁ ମିଶି । ୧୧ ।

 

ଏ ରଜ ବୀଜକୁ ପିଅଇ ।

ଏଣୁଟି ଭାଗବତ ହୋଇ । ୧୨ ।

 

ଭାବରେ ଭାବ ଯହୁଁ କଲା ।

ତେଣୁଟି ଏ ଦେହ ପାଇଲା । ୧୩ ।

 

 

ସୁଜନମାନେ ହେତୁକର ।

ଭବକୁ ଛାଡ଼ି ଭାବଧର । ୧୪ ।

 

ଭାବଟି ନାମ ରସ ଜାଣ ।

ପିଅ ହେ ସାଧୁ ସୁଜ୍ଞଜନ । ୧୫ ।

 

ଭବସାଗରେ ତୁମ୍ଭେ ପଡ଼ି ।

ନାମର ଭବକୂପେ ବୁଡ଼ି । ୧୬ ।

 

କହଇ ବଳରାମ ଦାସ ।

ବ୍ରହ୍ମାଣ୍ଡଭୂଗୋଳ ପ୍ରକାଶ ।। ୧୭

 

ଇତି ଶ୍ରୀ ବ୍ରହ୍ମାଣ୍ଡଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ସପ୍ତମୋଽଧ୍ୟାୟଃ ।

 

ଅଷ୍ଟମ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ପୁଣି ପଚାରିଲା ।

ସଂଶୟଚିତ୍ତେ ଭୟ କଲା । ୧ ।

 

ଶ୍ରୀଭାଗବତ ପଦ ଅର୍ଥ ।

ମୋତେ କହି ତା’ ତୋଷ ଚିତ୍ତ । ୨ ।

 

ନମଇଁ ନୃସିଂହ ଚରଣ ।

ଅନାଦି ପରମ କାରଣ । ୩ ।

 

ପରମ କାରଣ କିପାଇଁ ।

ଅନାଦି ପ୍ରଭୁ ଭାବଗ୍ରାହୀ । ୪ ।

 

ଏ ପଦ ଅର୍ଥ କହ ମୋତେ ।

ନମଇଁ ତୋର ପାଦାଗ୍ରତେ । ୫ ।

 

ଶ୍ରୀଭଗବାନୁବାଚ - ଅର୍ଜୁନ ବଚନେ ମୁରାରି ।

କହନ୍ତି ଭୂଗୋଳ ବିସ୍ତାରି । ୬ ।

 

 

ଶୁଣ ଅର୍ଜୁନ ସାଧୁଚେତା ।

ତୋତେ କହିବା ତତ୍ତ୍ୱ ଗାଥା । ୭ ।

 

ଅବ୍ୟକ୍ତରୂପ ଭଗବାନ ।

ମୋ ତହୁଁ ସୃଷ୍ଟି ନୋହେ ଭିନ୍ନ । ୮ ।

 

ଅନାଦି ରାଧା କେ ବୋଲାଇ ।

ରାଧାଙ୍କ କାରଣ ଅଟଇ । ୯ ।

 

ରାଆ ଅକ୍ଷରେ ସେ ଯୁଗଳ ।

ରାଆରେ ମଅଟି ବିହାର । ୧୦ ।

 

ଏ ପଦ ଅର୍ଥର ସନ୍ଦେଶ ।

ଭଣିଲେ ବଳରାମ ଦାସ । ୧୧ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଅଷ୍ଟମୋଽଧ୍ୟାୟଃ ।

 

ନବମ ଅଧ୍ୟାୟ

 

ଅର୍ଜୁନ ଉବାଚ - ପୁଣି ଅର୍ଜୁନ କରଯୋଡ଼ି ।

ବୋଲଇ କୃଷ୍ଣ ପାଦେ ପଡ଼ି । ୧ ।

 

ନମଇଁ ନୃସିଂହ ଚରଣ ।

ଏ ଅର୍ଥ କହ ଭଗବାନ । ୨ ।

 

ଏହି ଅକ୍ଷର ଏକ ଅର୍ଥ ।

ମୋତେ କହିବ ପଦ୍ମନେତ୍ର । ୩ ।

 

ଅର୍ଜୁନ ବଚନେ ଗୋବିନ୍ଦ ।

କହନ୍ତି ଏକାଦଶସ୍କନ୍ଧ । ୪ ।

 

ଶ୍ରୀ ଭଗବାନୁବାଚ । - ଅକ୍ଷର ଗୋଟିକେ ଯେ ଅର୍ଥ ।

ତୋତେ କହିବା ଯେ ତଦନ୍ତ । ୫ ।

 

ନଅଟି ନିରାକାର ରୂପ ।

ମଅ ଯେ ମହା ସୂକ୍ଷ୍ମ ରୂପ । ୬ ।

 

 

ଈ’ କାର ଈଶ୍ୱର ପ୍ରମାଣ ।

ନଅ ଯେ ଅର୍ଦ୍ଧମାତ୍ରା ଜାଣ । ୭ ।

 

ସିଇରୁ ସୂକ୍ଷ୍ମମୁନା ଜାତ ।

ହଅରୁ କ୍ଷରୁଛି ଜଗତ । ୮ ।

 

ଚଅରୁ ଚରାଚର ହେଲା ।

ରଅଟି ଶରୀରେ ରହିଲା । ୯ ।

 

ଣଅ ଅକ୍ଷର ମହାଶୂନ୍ୟ ।

ଅନ୍ତେ ହୋଇବ ତହିଁ ଲୀନ । ୧୦ ।

 

ଭଣିଲେ ବଳରାମ ଦାସ ।

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ । ୧୧ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି- ଅର୍ଜୁନ ସମ୍ବାଦେ ନାମ ନବମୋଽଧ୍ୟାୟଃ ।

 

ଦଶମ ଅଧ୍ୟାୟ

 

ଅର୍ଜୁନ ଉବାଚ । - ଅର୍ଜୁନ ବିନୟ ଭାବରେ ।

ପଡ଼ଇ କୃଷ୍ଣର ପୟରେ । ୧ ।

 

ହେ କୃଷ୍ଣ ଜୀବନ ମୋହର ।

ତୋ ନାମ ସଂସାରରେ ସାର । ୨ ।

 

ଅନାଦି ପ୍ରଭୁ ଭାବଗ୍ରାହୀ ।

ପରମ କାରଣ କିମ୍ପାଇଁ । ୩ ।

 

ଶ୍ରୀ ଭଗବାନୁଉବାଚ - କହନ୍ତି କମଳ ଲୋଚନ ।

ଶୁଣ ହୋ ଭକତ ଅର୍ଜୁନ । ୪ ।

 

ଅନାଦି ଅର୍ଦ୍ଧମାତ୍ରା କହି ।

ପ୍ରକୃତି ଭାବ ସେ ଅଟଇ । ୫ ।

 

ପ୍ରଳୟେ ପରମେ ମିଶନ୍ତି ।

ଜୀବକୁ କାରଣ କରନ୍ତି । ୬ ।

 

 

ଏବେହେଁ ପିତାଭାବେ ଥିଲା ।

ପରମ କାରଣ ସେ କଲା । ୭ ।

 

କହଇ ବଳରାମ ଦାସ ।

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ । ୮ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରିଅର୍ଜୁନ ସମ୍ବାଦେ ନାମ ଦଶମୋଽଧ୍ୟାୟଃ ।

 

ଏକାଦଶ ଅଧ୍ୟାୟ

 

ଅର୍ଜୁନ ଉବାଚ । - ଅର୍ଜୁନ ବୋଲଇ ଗୋସାଇଁ ।

କଥାଏ ପଚାରିବି ମୁହିଁ । ୧ ।

 

ଲୀଳାବିଧୃତ କଳେବର ।

ଦେବ ମାନବେ ଅଗୋଚର । ୨ ।

 

ଏ ଜ୍ଞାନ କହ ଭାବଗ୍ରାହୀ ।

ଶୁଣିଲେ ପ୍ରତେ ଯିବି ମୁହିଁ । ୩ ।

 

ଶ୍ରୀ ଭଗବାନୁବାଚ - କହନ୍ତି କମଳାର ବର ।

ମୁଁ ଥାଇ ସକଳ ଶରୀର । ୪ ।

 

ଘଟରେ ଲୀଳା କରୁଥାଇ ।

ଘଟ ଛାଡ଼ିଲେ ଶୂନ୍ୟେ ଯାଇ । ୫ ।

 

ଘଟରୁ ପ୍ରାଣ ଛାଡ଼ିଯାଇ ।

ତାହାକୁ କେହି ନ ଦେଖଇ । ୬ ।

 

 

ଜୀବ ଯେ ଶୂନ୍ୟେ ଚଳିଗଲା ।

ଦେବ ମନୁଷ୍ୟ ନ ଜାଣିଲା । ୭ ।

 

ମେଘେ ବିଜୁଳି ଯେହ୍ନେ ମାରେ ।

ମାରିଣ କେଉଁଦିଗେ ଚଳେ । ୮ ।

 

ବିଜୁଳି ପ୍ରାୟେ ଦେହୁ ଯାଇ ।

ଦେବ ମାନବେ ନ ଦେଖଇ । ୯ ।

 

କହଇ ବଳରାମ ଦାସ ।

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ । ୧୦ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଏକାଦଶୋଽଧ୍ୟାୟଃ ।

 

ଦ୍ୱାଦଶ ଅଧ୍ୟାୟ

 

ଅର୍ଜୁନ ଉବାଚ - କରୁଣା କଟାକ୍ଷ ପ୍ରକାଶେ ।

ଭକତଜନ ଦୁଃଖନାଶେ । ୧ ।

 

କେମନ୍ତେ କରୁଣା ସେ କଲେ ।

ଭକତ ଦୁଃଖକୁ ନାଶିଲେ । ୨ ।

 

ଏ ଅର୍ଥ କହ ଦୟାନିଧି ।

ମୋ ଶିର ତୁମ୍ଭ ପାଦେ ବନ୍ଦି । ୩ ।

 

ଶ୍ରୀ ଭଗବାନୁବାଚ - ଶୁଣ ଅର୍ଜୁନ ହେତୁ ମନେ ।

କହିବା ଭୂଗୋଳ ବିଧାନେ । ୪ ।

 

ଜୀବଟି ଭକତ ଅଟଇ ।

ପ୍ରଳୟ ଜଳେ ଦୁଃଖ ପାଇ ।

 

ବେଗେ ଛାଡ଼ିଲେ ପିଣ୍ଡୁ ଜୀବ ।

ଏମନ୍ତେ ପାଇ ଦୁଃଖଭାବ । ୬ ।

 

 

ଯହୁଁ ଅନେକ ଦୁଃଖ ପାଇ ।

ପ୍ରଭୁଙ୍କ କରୁଣା ହୁଅଇ । ୭ ।

 

ଜୀବ ପରମ ବେନି ମିଶେ ।

ଭକତଜନ ଦୁଃଖନାଶେ । ୮ ।

 

କହଇ ବଳରାମ ଦାସ ।

ସେ ବ୍ରହ୍ମପାଦେ ମୋର ଅଶ । ୯ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଦ୍ୱାଦଶୋଽଧ୍ୟାୟଃ ।

 

ତ୍ରୟୋଦଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ସେ ହରି ଚରଣେ ପ୍ରକାଶ ।

ଶ୍ରୀଭଗବତ ଏକାଦଶ । ୧ ।

 

ଏ ଅର୍ଥ କହ ମୋତେ ଫେଇ ।

ନମଇଁ ବ୍ରହ୍ମାଣ୍ଡ ଗୋସାଇଁ । ୨ ।

 

ହରି ଚରଣୁ ପ୍ରକାଶିଲା ।

ଶ୍ରୀ ଭାଗବତ ବୋଲାଇଲା । ୩ ।

 

ଏକଥା କହ ଦଇତାରି ।

ଶୁଣିଲେ ମୁଁ ଯିବି ନିସ୍ତରି । ୪ ।

 

ଶ୍ରୀ ଭଗବାନୁବାଚ - ଶୁଣ ଅର୍ଜୁନ ମହାରଥା ।

ତୋତେ କହିବା ତତ୍ତ୍ୱକଥା । ୫ ।

 

ସେ ହରି ଶୂନ୍ୟବ୍ରହ୍ମ ଜ୍ୟୋତି ।

ତା ପାଦୁ ବିନ୍ଦୁ ଉତପତ୍ତି । ୬ ।

 

 

ସେ ବିନ୍ଦୁ ପଦ୍ମରେ ରହିଲା

ରଜୋ ବୀଜରେ ଏକ ହେଲା । ୭ ।

 

ରଜୋ ବୀଜକୁ ଭାଗକଲା ।

ତେଣୁଟି ଭାଗବତ ହେଲା । ୮ ।

 

ରଜୋ ବୀଜରୁ ଏକ ପାଦ ।

ଜନ୍ମିଲେ ଏକାଦଶସ୍କନ୍ଧ । ୯ ।

 

ଶ୍ରୀଭାଗବତ ଏକାଦଶ ।

ତେଣୁ ଏ ହୋଇଲା ପ୍ରକାଶ ।।

 

କହଇ ବଳରାମ ଦାସ ।

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ । ୧୦ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ତ୍ରୟୋଦଶୋଽଧ୍ୟାୟଃ ।

 

ଚତୁର୍ଦ୍ଦଶ ଅଧ୍ୟାୟ

 

ଅର୍ଜ୍ଜୁନ ଉବାଚ - ଅର୍ଜ୍ଜୁନ ପୁଣି ପଚାରଇ ।

କଥାଏ ମନେ ପଡ଼ିଲଇଁ । ୧ ।

 

ସାଧୁ ସଙ୍ଗମେ ଗଙ୍ଗାତୀରେ ।

ଶୁକ ଚରଣ ଧରି କରେ । ୨ ।

 

ଆନନ୍ଦେ ଅଶ୍ରୁପାତ କଲା ।

ମୁନିଙ୍କ ଚରଣେ ନମିଲା । ୩ ।

 

ସାଧୁ ଯେ କେଉଁଠାରେ ଥିଲେ ।

ଗଙ୍ଗାତୀରରେ ସଙ୍ଗ କଲେ । ୪ ।

 

ଶୁକ ଚରଣକୁ ଧଇଲେ ।

ନୟନୁ ଅଶ୍ରୁପାତ କଲେ । ୫ ।

 

ଏ ଅର୍ଥ କହ ଭଗବାନ ।

ନମଇ ତୁମ୍ଭର ଚରଣ । ୬ ।

 

 

ଶ୍ରୀ ଭଗବାନୁବାଚ - ଅର୍ଜୁନ ବାକ୍ୟେ ଚକ୍ରପାଣି ।

ବୋଲନ୍ତି ଶୁଣ ଫାଲଗୁନି । ୭ ।

 

ଡାହାଣ ନାସାର ଯେ ବାଇ ।

ଗଙ୍ଗା ବୋଲିଣ ତାକୁ କହି । ୮ ।

 

ସୁଷୁମୁନା ଯେ ସେହି ଜାଣ ।

ମନ ପବନ ଯେ ଚରଣ । ୯ ।

 

ମନ ପବନ ଏକ ହୋଇ ।

ଟେକିବ ଶିଶୁଧରେ ନେଇ । ୧୦ ।

 

ଶୁକଚରଣକୁ ଧଇଲା ।

ପଶ୍ଚିମ ଦୃଷ୍ଟି ପୂର୍ବେ ଦେଲା । ୧୧ ।

 

ଶୂନ୍ୟରେ ଦୃଷ୍ଟି ଯେ ରହିଲା ।

ନୟନୁ ଅଶ୍ର ପାତ କଲା । ୧୨ ।

 

 

ଶିଶୁଧରା ଯେ ସୁତ ହୋଇ ।

ବ୍ରହ୍ମାଣ୍ଡ ଭୂଗୋଳରେ ବହି । ୧୩ ।

 

ସେ ଧାରେ ନିତ୍ୟେକରି ଆଶ ।

ଭଣିଲେ ବଳରାମ ଦାସ । ୧୪ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରିଅର୍ଜୁନ ସମ୍ବାଦେ ନାମ ଚତୁର୍ଦ୍ଦଶୋଽଧ୍ୟାୟଃ ।

 

ପଞ୍ଚଦଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଲଇ ଗୋସାଇଁ ।

କଥାଏ ପଚାରିବି ମୁହିଁ । ୧ ।

 

ଦେବଙ୍କ ବ୍ୟାକୁଳେ ମୁରାରି ।

ମଞ୍ଚେ ମନୁଷ୍ୟ ଦେହ ଧରି । ୨ ।

 

ଦୁର୍ଜନଗଣ ନାଶ କଲେ ।

ଅବନୀ ଭାରା ଉଶ୍ୱାସିଲେ । ୩ ।

 

ଏ ଅର୍ଥ କହ ଭଗବାନ ।

ନମଇଁ ତୁମ୍ଭର ଚରଣ । ୪ ।

 

ଭଗବାନ ଉବାଚ - ଶୁଣ ଅର୍ଜୁନ ବୀରମଣି ।

କହିବା ଭାଗବତ ବାଣୀ । ୫ ।

 

ଅବନୀ ଦେହକୁ ଯେ କହି ।

ପ୍ରକୃତି ଯହିଁ ବଶ ହୋଇ । ୬ ।

 

 

ଦୁଷ୍ଟ ଗଣକୁ ନାଶ କରି ।

ଏ ଆତ୍ମା ଯାଉ ନିଜପୁରୀ । ୭ ।

 

ଜୀବ ପରମ ଶୂନ୍ୟେ ଚଳେ ।

ଅବନୀ ଭାରା ଉଶ୍ୱାସିଲେ । ୮ ।

 

କହଇ ବଳରାମ ଦାସ ।

ବ୍ରହ୍ମାଣ୍ଡ-ଭୁଗୋଳ ପ୍ରକାଶ । ୯ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ପଞ୍ଚଦଶୋଽଧ୍ୟାୟଃ ।

 

ଷୋଡ଼ଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ଶିରେ କର ଯୋଡ଼ି ।

କହଇ କୃଷ୍ଣ ପାଦେ ପଡ଼ି । ୧ ।

 

ଭୀମକୁ ବିଷଲଡ଼ୁ ଦେଇ ।

ଜତୁର ଘରେ ଅଗ୍ନି ଦାହି । ୨ ।

 

ଏ ଆଦି ଯେତେ କର୍ମମାନ ।

ପାଣ୍ଡବେ କଲା ଦୁର୍ଯ୍ୟୋଧନ । ୩ ।

 

ସଙ୍ଗତେ ପାଞ୍ଚଭାଇ ଘେନି ।

ନାଶିଲେ ସେ କୁରୁ ସଇନି । ୪ ।

 

ଭୀମ କେ ଦେହେ ବୋଲାଇଲା ।

କେ ତାକୁ ବିଷଲଡ଼ୁ ଦେଲା । ୫ ।

 

ଏ ଅର୍ଥ କହ ଭଗବାନ ।

ନମଇଁ ତୁମ୍ଭର ଚରଣ । ୬ ।

 

 

ଶ୍ରୀଭଗବାନୁବାଚ - ଅର୍ଜୁନ ବଚନେ ମୁରାରି ।

କହନ୍ତି ଭୁଗୋଳ ବିସ୍ତାରି । ୭ ।

 

ପବନ ଭୀମ ବୋଲାଇଲା ।

ଦେହକୁ ଜଉଘର କଲା । ୮ ।

 

ବିଷ ଲଡ଼ୁଟି ସ୍ତିରୀ ଜାଣ ।

ଏକଥା ଅଟଇ ପ୍ରମାଣ । ୯ ।

 

ମନଟି ଦୁର୍ଯ୍ୟୋଧନ ହେଲା ।

କାମ ଅଗ୍ନିରେ ଜାଳିଦେଲା ୧୦ ।

 

ପଞ୍ଚପାଣ୍ଡବ ପଞ୍ଚଭୂତ ।

ସଙ୍ଗତେ ଘେନି ଜଗନ୍ନାଥ । ୧୧ ।

 

କୁରୁବଳକୁ ନାଶ କରି ।

ପାଣ୍ଡବ ବଂଶ ଯା’ନ୍ତି ତରି । ୧୨ ।

 

ଦୁର୍ଯ୍ୟୋଧନର ଯେତେ ସୈନ୍ୟ ।

ପାଣ୍ଡବବଳ ଶତେଗୁଣ । ୧୩ ।

 

 

ପ୍ରଳୟ ପାପକୁ ନାଶନ୍ତି ।

ସତ୍ତ୍ୱଗୁଣରେ ତରିଯାନ୍ତି । ୧୪ ।

 

କହଇ ବଳରାମ ଦାସ ।

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ । ୨୫ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଷୋଡ଼ଶୋଽଧ୍ୟାୟଃ ।

 

ସପ୍ତଦଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଲେ ଯୋଡ଼ି କର ।

ଶୁଣ ହେ ବ୍ରହ୍ମାଣ୍ଡଠାକୁର । ୧।

 

ଯେସନେ ବନେ ବାଂଶେବାଂଶେ

ଅନଳ ଉପୁଜେ ଘରଷେ । ୨।

 

ବନରେ ବାଂଶ କେ ହୋଇଲା ।

ଘଷନ୍ତେ ଅଗ୍ନିଜାତ ହେଲା । ୩ ।

 

ସେ ବନୁ ଅଗ୍ନି ଜାତ ହୋଇ ।

ପୁଣି ସେ ବନକୁ ଦହଇ । ୪ ।

 

ସଂଶୟ ଫେଡ଼ି ମୋତେ କହ ।

ଶୁଣି ମୋ ସ୍ଥିରହେଉ ଦେହ । ୫ ।

 

ଶ୍ରୀକୃଷ୍ଣ ଉବାଚ - କହନ୍ତି କମଳଲୋଚନ ।

ଶୁଣ ହେ ପାଣ୍ଡବ ଅର୍ଜୁନ । ୬ ।

 

 

ଦେହକୁ ବନ ବୋଲି କହି ।

ପବନ ବାଂଶ ସେ ବୋଲାଇ । ୭ ।

 

ପରମ ମୁଖୁଁ ଅଗ୍ନି ଜାତ ।

ଜୀବକୁ ପୋଡ଼ଇ ତ୍ୱରିତ । ୮ ।

 

ଏ ବନୁ ଅଗ୍ନି ଜାତ ହେଲା ।

ଦହନ କରିଣ ଲିଭିଲା । ୯ ।

 

ଶୁଣି ଅର୍ଜୁନ ହେଲେ ତୋଷ ।

ଭଣିଲେ ବଳରାମ ଦାସ । ୧୦ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ସପ୍ତଦଶୋଽଧ୍ୟାୟଃ ।

 

ଅଷ୍ଟାଦଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଲେ ମହାବାହୁ ।

କଥାଏ ମୋତେ ଆଜ୍ଞା ହେଉ । ୧ ।

 

ବିପ୍ରେ ଯେ ଶ୍ରମରେ ଗମନ୍ତେ ।

ମିଳିଲେ ପୁଣ୍ଡରୀକ ତୀର୍ଥେ । ୨ ।

 

ସମସ୍ତେ ତୀର୍ଥେ ଯାଇ ମିଳି ।

ରଙ୍ଗେ ସେକଲେ ନାନା କେଳି । ୩ ।

 

ସେ ବିପ୍ରଗଣେ କାହିଁ ଥିଲେ ।

କୃଷ୍ଣଦର୍ଶନେ ସେ ଗମିଲେ । ୪ ।

 

ସେ ପୁଣ୍ଡରୀକ ତୀର୍ଥକେହୁ ।

କି ରୂପେ କେଳି କଲେ ସେହୁ । ୫ ।

 

ସଂକ୍ଷେପ କରି ମୋତେ କହ ।

ଶୁଣିଲେ ଛାଡ଼ିବ ସନ୍ଦେହ । ୬ ।

 

 

ଶ୍ରୀଭଗବାନୁବାଚ - ଶୁଣ ପାଣ୍ଡବ ଚୂଡ଼ାମଣି ।

କହିବା ଭୂଗୋଳକୁ ପୁଣି । ୭ ।

 

ପରମବ୍ରହ୍ମ ବୀଜ ଖସି ।

ପଞ୍ଚଭୂତ ହିଁ ତହିଁ ମିଶି । ୮ ।

 

ବିପ୍ରଗଣ ଯେ ବୋଲାଇଲେ ।

ସମସ୍ତେ ସେ ତୀର୍ଥେ ମିଳିଲେ । ୮ ।

 

ପୁଣ୍ଡରୀକ ଯେ ତୀର୍ଥ ଦେହୀ ।

ମାତାର ପଦ୍ମ ସେ ଅଟଇ । ୧୦ ।

 

ଅର୍ଜୁନ ଯୋଡ଼ି କରତଳ ।

ନୟନୁ ବହେ ଅଶ୍ରୁଜଳ । ୧୧ ।

 

ଶାମ୍ବକୁ ନାରୀ ବେଶ କରି ।

ଉଦରେ ଲୌହପାତ୍ର ଭରି । ୧୨ ।

 

ଶାମ୍ବ ବୋଲିଣ କେ ଅଟଇ ।

ସେ ଲୌହ ପାତ୍ର କେ ହୁଅଇ । ୧୩ ।

 

 

କେମନ୍ତେ ଲୌହପାତ୍ର ହେଲା ।

ଯାଦବ କୁଳ ନାଶ କଲା । ୧୪ ।

ଏ ଅର୍ଥ କହ ଭାବଗ୍ରାହୀ ।

ଶୁଣିଣ ନିସ୍ତରିବି ମୁହିଁ ।୧୫।

ଶ୍ରୀ ଭଗବାନୁବାଚ - ଅର୍ଜ୍ଜୁନ ବଚନେ ମୁରାରି ।

କହନ୍ତି ଭୂଗୋଳ ବିସ୍ତାରି । ୧୬ ।

ଶାମ୍ବ ଯେ ମନ ତା’ର ଜାଣ ।

ଜୀବଟି ଲୌହ ପରିମାଣ । ୧୭ ।

କାଳକୁ ପାତ୍ର ବୋଲି କହି ।

ରଜୋ ଭାବଟି ସେ ଅଟଇ । ୧୮ ।

ଜଳଟି ଲୌହପାତ୍ର ହେଲା ।

ଜୀବ ଆତ୍ମାକୁ ନାଶ କଲା । ୧୯ ।

କହଇ ବଳରାମ ଦାସ ।

ବ୍ରହ୍ମାଣ୍ଡ-ଭୂଗୋଳ ପ୍ରକାଶ । ୨୦ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜ୍ଜୁନ ସମ୍ବାଦେ ନାମ ଅଷ୍ଟାଦଶୋଽଧ୍ୟାୟଃ ।

 

ଊନବିଂଶ ଅଧ୍ୟାୟ

 

ଅର୍ଜ୍ଜୁନଉବାଚ - ଅର୍ଜ୍ଜୁନ ବୋଲଇ ଗୋସାଇଁ ।

କଥାଏ ମନେ ପଡ଼ିଲଇଁ । ୧ ।

 

ସେ ଶାମ୍ବ ମୁନିଙ୍କି ଦେଖିଲା ।

ମୁନି ତାହାଙ୍କୁ ଶାପ ଦେଲା । ୨ ।

 

ପୁଣି ସେ ପୁତ୍ର ଚଳିଗଲେ ।

ଉଗ୍ରସେନକୁ ଯେ କହିଲେ । ୩ ।

 

ମୁନିଙ୍କ ଶାପୁଁ ଲୌହ ଜାତ ।

ଜାଣିବି କାହୁଁ ଏ ତଦନ୍ତ । ୪ ।

 

ମୁନି ଯେ କେହୁ ବୋଲାଇଲା ।

ଉଗ୍ରସେନ ସେ କେହୁ ହେଲା । ୫ ।

 

ଶ୍ରୀଭଗବାନୁବାଚ - ଶୁଣି ଅର୍ଜ୍ଜୁନର ବଚନ ।

କହନ୍ତି ଦେବକୀ ନନ୍ଦନ । ୬ ।

 

 

ଜ୍ୟୋତି ପୁରୁଷ ଯାହା କହି ।

ଋଷି ସେ ଜଗତେ ବୋଲାଇ । ୭ ।

 

ଜୀବକୁ ସେହି ଜାତ କଲା ।

ଧର୍ମରେ ପାଳିବ ବୋଇଲା । ୮।

 

ପୃଥ୍ୱୀରେ ପଡ଼ି ପାଶୋରିଲା ।

ଅକର୍ମ କର୍ମ ସେହୁ କଲା । ୯ ।

 

ସ୍ତିରୀ ସଙ୍ଗମେ ନିତ୍ୟେ ପଡ଼ି ।

ସୁକର୍ମମାନ ଦେଲା ଛାଡ଼ି । ୧୦ ।

 

ପରମ ପିତା ବୋଲାଇଲା ।

ଜୀବ ଅକର୍ମରେ ବଢ଼ିଲା । ୧୧ ।

 

ଯହୁଁ ନ କଲା ପିତାବାକ୍ୟ ।

ତହୁଁ ପାଇଲା ବ୍ରହ୍ମଶାପ । ୧୨ ।

 

ବ୍ରହ୍ମକୁ ଯହୁଁ ନାଶ କଲା ।

ଏଣୁ ଅନଳେ ଝାସ ଦେଲା । ୧୩ ।

 

 

ଶାମ୍ବ ଜନମ ଅର୍ଥ ଏହି ।

ଅର୍ଜୁନେ କହେ ଭାବଗ୍ରାହୀ । ୧୪ ।

 

ପ୍ରକୃତ ଗୁଣ କୃଷ୍ଣସୁତ ।

ମୂଷଳବୋଲିନିଜ ତତ୍ତ୍ୱ । ୧୫ ।

 

ଚୈତନ୍ୟ ଉଗ୍ରସେନ କହି ।

ଶୁଣ ତୁ ଯୁଧିଷ୍ଠିର ଭାଇ । ୧୬ ।

 

ଶୁଣି ଅର୍ଜୁନ ହେଲେ ତୋଷ ।

ଭଣିଲେ ବଳରାମ ଦାସ । ୧୭ ।

 

ଇତି ଶ୍ରୀବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଊନବିଂଶୋଧ୍ୟାୟଃ ।

 

Unknown

ବିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ କହେ ଭଗବାନ ।

ମୁଁ ତୁମ୍ଭ ଚରଣେ ଶରଣ । ୧ ।

 

ଅନେକ ଦିନ ଘଷି ରୋଷେ ।

ଅଳପ ରହେ ଅବଶେଷେ । ୨ ।

 

ନ ପାରି ପକାଇଲେ ଜଳେ ।

ମୀନ ଗିଳିଲା ତାହାବଳେ । ୩ ।

 

ଲୌହ ବୋଲିଣ କାହୁଁ ହେଲା ।

ଜଳ ବୋଲି କେ ବୋଲାଇଲା । ୪ ।

 

ସେ ଜଳେ ମୀନ ରହିଥିଲା ।

ଆହାର ବୋଲି ଗିଳିଦେଲା । ୫ ।

 

ଏ ଅର୍ଥ କହ ଗୋପୀନାଥ ।

ଶୁଣି ମୋ ସ୍ଥିର ହେଉ ଚିତ୍ତ । ୬ ।

 

 

ଶ୍ରୀ ଭଗବାନୁବାଚ - କହନ୍ତି ଭୂଗୋଳ ବିଧାନ ।

ଶୁଣ ଅର୍ଜୁନ ଦେଇ ମନ । ୭ ।

 

ଜୀବଟି ଲୌହ ବୋଲି କହି ।

ପବିତ୍ର ଜଳ ସେ ବୋଲାଇ । ୮ ।

 

ପବନ ବଳେ ସେ ଚଳଇ ।

ସେବିନ୍ଦୁ ଜଳରେ ପଡ଼ଇ । ୯ ।

 

ମୀନଟି ମାତା ରଜ ହେଲା ।

ଘୋର ଜଳ ସେ ବୋଲାଇଲା । ୧୦ ।

 

ରଜରେ ବୀର୍ଯ୍ୟ ସେ ପଡ଼ିଲା ।

ସେ ରଜ ବୀର୍ଯ୍ୟକୁ ଗିଳିଲା । ୧୧ ।

 

ଶୁଣି ଅର୍ଜୁନ ହେଲେ ତୋଷ ।

ଭଣିଲେ ବଳରାମ ଦାସ । ୧୨ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ବିଂଶୋଽଧ୍ୟାୟଃ ।

 

ଏକବିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ପୁଣି ଅର୍ଜୁନ ପଚାରିଲା ।

ସଂଶୟ ଚିତ୍ତେ ସେ ପୁଚ୍ଛିଲା । ୧ ।

 

ଚରନ୍ତେ ସମୁଦ୍ରର ଜଳେ ।

ଜାଲେ ପଡ଼ିଲା ରାତ୍ରକାଳେ । ୨ ।

 

ତୀକ୍ଷଣ୍‌ତ୍ରିଶିରା ସେ ହୋଇଲା ।

ଯାଦବକୁଳ ନାଶକଲା । ୩ ।

 

ଏ ଅର୍ଥ କହ ଭଗବାନ ।

ନମଇଁ ତୁମ୍ଭର ଚରଣ । ୪ ।

 

ଶ୍ରୀ ଭଗବାନୁବାଚ - ଶୁଣ ଅର୍ଜୁନ ମନଦେଇ ।

କହିବା ଭୂଗୋଳକୁ ଫେଇ । ୫ ।

 

ସମୁଦ୍ର ମାତା ପଦ୍ମ ହେଲା ।

ତହିଁରେ ମୀନ ଚରୁଥିଲା । ୭ ।

 

 

କାଳକୁ ରାତ୍ର ବୋଲି କହି ।

ଜାଲ ବୋଲନ୍ତେ ମାୟା ହୋଇ । ୮ ।

ବନ ବୋଲନ୍ତେ ଦେହ ଜାଣ ।

ତୀକ୍ଷ୍‌ଣ ତ୍ରିଶିରାଟି ତ୍ରିଗୁଣ । ୯ ।

ରଜୋଶୁଣରେ ଯେ ପଡ଼ିଲା ।

ଏଣୁଟି ଜୀବ ନାଶଗଲା । ୧୦ ।

ମାତା ଗର୍ଭରେ ଯେତେ ଦିନ ।

ଦିବସ ହୋଇଥାଇ ପୁଣ । ୧୧ ।

ପୃଥ୍ୱୀରେ ଯେଣୁ ସେ ପଡ଼ିଲା ।

କାଳରାତ୍ରି ଯେ ଆକର୍ଷିଲା । ୧୨ ।

ଧୀବର କାମ ଜାଲ ହୋଇ ।

ସେ କାମ କାଳ ଯେ ବୋଲାଇ । ୧୩ ।

ଶୁଣି ଅର୍ଜୁନ ହେଲେ ତୋଷ ।

ଭଣିଲେ ବଳରାମ ଦାସ । ୧୪ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଏକବିଂଶୋଽଧ୍ୟାୟଃ ।

 

ଦ୍ୱାବିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ଶିରେ କରଯୋଡ଼ି ।

କହଇ ପ୍ରଭୁ ପାଦେ ପଡ଼ି । ୧ ।

 

ଯେ ଲୌହ ଚୂର୍ଣ୍ଣ ପଡ଼ି ଜଳେ ।

ଭାସିଲା ସମୁଦ୍ର କଲ୍ଲୋଳେ । ୨ ।

 

ତୀରେ ଲଗାନ୍ତେ ଲୌହଚୂର୍ଣ୍ଣ ।

ଜନ୍ମିଲା ଏରକାର ବନ । ୩ ।

 

ଏ କଥା କହ ଦଇତ୍ୟାରି ।

ଶୁଣିଲେ ଯିବି ମୁଁ ନିସ୍ତରି । ୪ ।

 

ଶ୍ରୀ ଭଗବାନୁବାଚ - ଜଳ ଯେ ମାତାପଦ କହି ।

ଚୂର୍ଣ୍ଣ ଯେ ପିତାବୀଜ ହୋଇ । ୫ ।

 

ରଜରେ ବୀଜ ଯେ ପଡ଼ିଲା ।

ଅନେକ ଦିନ ଭାସୁଥିଲା । ୬ ।

 

 

ତୀର ବୋଲନ୍ତେ ଯାହା କହି ।

ସେଠାରୁ ଶରୀର ବହଇ । ୭ ।

 

ତ୍ରିଗୁଣ ଭାବ ଆଚରିଲା ।

ଏଣୁ ଏ ଜୀବ ନାଶ ଗଲା । ୮ ।

 

କହଇ ବଳରାମ ଦାସ ।

ବ୍ରହ୍ମାଣ୍ଡ-ଭୂଗୋଳ ପ୍ରକାଶ । ୯ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରିଅର୍ଜୁନ ସମ୍ବାଦେ ନାମ ଦ୍ୱାବିଂଶୋଽଧ୍ୟାୟଃ ।

 

ତ୍ରୟବିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ଯୋଡ଼ି ବେନି କର ।

କହଇ ଶ୍ରୀକୃଷ୍ଣ ଛାମୁର । ୧ ।

 

ଅଦ୍ଭୁତ ଦ୍ୱାରକା ନଗରେ ।

ଘୋର ଉତ୍ପାତ ଭୟଙ୍କରେ । ୨ ।

 

ଗୋବିନ୍ଦ ଭୁଜଦଣ୍ଡ ବଳେ ।

ଯାଦବେ ଥାନ୍ତି ସୁଖଭୋଳେ । ୩ ।

 

ଏଜୀବ କେମନ୍ତେ ନିସ୍ତରେ ।

କହବେ ହେପ୍ରଭୁ ଶ୍ରୀମୁଖରେ । ୪ ।

 

ଦ୍ୱାରକାଭୁବନ କେ କହି ।

ନିର୍ଣ୍ଣୟ କରି କର ଫେଇ । ୫ ।

 

ଗୋବିନ୍ଦ ଭୁଜଦଣ୍ଡ କେହି ।

ଯାଦବ କୁଳେ ସୁଖେ ରହି । ୬ ।

 

 

ହେ ପ୍ରଭୁ କମଳ ଲୋଚନ ।

ମୋ ପାପ କର ବିମୋଚନ । ୭ ।

ଶ୍ରୀ ଭଗବାନୁବାଚ - ଶୁଣ ଅର୍ଜୁନ ଚିତ୍ତ ଦେଇ ।

କହିବା ଭାଗବତ ଫେଇ । ୮ ।

ଦ୍ୱାରକା ବୋଲି ଯେଉଁ ସ୍ଥାନ ।

ମାତାର ପଦ୍ମ ବୋଲି ଜାଣ । ୯ ।

ରଜରେ ବିନ୍ଦୁ ଯେ ମିଶଇ ।

ପବନ ଭୁଜଦଣ୍ଡ କହି । ୧୦ ।

ଜୀବର ପ୍ରକୃତି ଯେ ଜାଣ ।

ଜାତ ହୁଅଇ ତହିଁ ପୁଣ । ୧୧ ।

ପଦ୍ମରେ ସୁଖେ ବିହରିଲା ।

ବ୍ରହ୍ମାଣ୍ଡଭୂଗୋଳ କହିଲା । ୧୨ ।

କହଇ ବଳରାମ ଦାସ ।

ବ୍ରହ୍ମାଣ୍ଡଭୂଗୋଳ ରସ । ୧୩ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ବିଂଶୋଧ୍ୟାୟଃ ।

 

ଚତୁର୍ବିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ବୋଲଇ ଶୁଣ ଭାବଗ୍ରାହୀ ।

ଅନଳେ ଶିରେ କର ଦେଇ । ୧ ।

 

ପୂର୍ବେ ଯେ ବିଦେହ ମଣ୍ଡଳେ ।

ନିମି ରାଜାର ଯଜ୍ଞ ଶାଳେ । ୨ ।

 

ଦିବ୍ୟପୁରୁଷ ନବଋଷି ।

ମିଳିଲେ ଯଜ୍ଞଶାଳେ ଆସି । ୩ ।

 

ଏ ଅର୍ଥ ଫେଡ଼ି ମୋତେ କହ ।

ଶୁଣିଲେ ଫିଟିବ ସନ୍ଦେହ । ୪ ।

 

ନିମି ରାଜାଟି କେ ହୋଇଲା ।

କେମନ୍ତେ ଯଜ୍ଞଶାଳ କଲା । ୫ ।

 

ସେ ନବଋଷି କେ କେ କହ ।

କହିଲେ ଫିଟିବ ସନ୍ଦେହ । ୬ ।

 

 

ଶ୍ରୀ ଭଗବାନୁବାଚ - ଶୁଣ ଅର୍ଜୁନ ସାଧୁଚେତା ।

ତୋତେ କହିବା ସେହି କଥା । ୭ ।

ମାତାର ପଦ୍ମ ପୂର୍ବେ କହି ।

ବିଦେହ ରାଜା ଜୀବ ହୋଇ । ୮ ।

ନିମି ରାଜାଟି ସେ ଅଟଇ ।

ଯଜ୍ଞଶାଳଟି ପଦ୍ମ ବହି । ୯ ।

ରଜରେ ବୀଜ ଯୁକ୍ତ ହେଲା ।

ସେ ମହା ବୀଜ ବୋଲାଇଲା । ୧୦ ।

ଏ ନବ ଋଷି ନବ ଦ୍ୱାର ।

ମନ ଚୈତନ୍ୟ ଜ୍ଞାନ ସାର । ୧୧ ।

ଏହାକୁ ନବଋଷି କହି ।

ଶୁଣ ଅର୍ଜୁନ ମନ ଦେଇ । ୧୨ ।

କହଇ ବଳରାମ ଦାସ ।

ସେ ନବ ମୁନି ପାଦେ ଆଶ । ୧୩ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଚତୁର୍ବିଂଶୋଽଧ୍ୟାୟଃ ।

 

ପଞ୍ଚବିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅଗ୍ନି ଯେ କୁଣ୍ଡ ମଧ୍ୟେ ଥିଲା ।

ବିପ୍ରଙ୍କ ସଙ୍ଗତେ ଉଠିଲା । ୧ ।

 

ଆନନ୍ଦ ମନେ ନୃପବର ।

ପୂଜିଲା ମୁନିଙ୍କ ପୟର । ୨ ।

 

ଅଗ୍ନି କେ କୁଣ୍ଡ କେ ହୋଇଲା ।

କେମନ୍ତେ ସଙ୍ଗତେ ଉଠିଲା । ୩ ।

 

ବିପ୍ରଗଣଟି କେ ବୋଲାଇ ।

ନୃପତି କେ ଅବା ଅଟଇ । ୪ ।

 

ମନ ସଙ୍ଗରୁ ଯେ ଖସିଲା ।

ପଦ୍ମ ମଧ୍ୟରେ ବିହରିଲା । ୫ ।

 

ଏ ଅର୍ଥ କହ ଭଗବାନ ।

ମୁଁ ତୁମ୍ଭ ଚରଣେ ଶରଣ । ୬ ।

 

 

ଶ୍ରୀ ଭଗବାନୁବାଚ - କହନ୍ତି କମଳାର ବର ।

ଶୁଣ ହେ ବୀର ଧନୁର୍ଦ୍ଧର । ୭ ।

 

ମନ ସଙ୍ଗରେ ଯେ ଖସିଲା ।

ପଦ୍ମ ମଧ୍ୟରେ ବିହରିଲା । ୮ ।

 

ବୀଜ ଯେ ରଜଟି ପ୍ରମାଣ ।

ତୋ ହୃଦେ ଗଣ୍ଠି କରି ଘେନ । ୯ ।

 

କହଇ ବଳରାମ ଦାସ ।

ସେ ଅଗ୍ନିକୁଣ୍ଡେ ମୋର ଆଶ । ୧୦ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମପଞ୍ଚବିଂଶୋଽଧ୍ୟାୟଃ ।

 

ଷଡ଼ବିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ଶୋକ ଗଦ ଗଦେ ।

ପଡ଼ଇ ଶ୍ରୀକୃଷ୍ଣଙ୍କ ପାଦେ । ୧ ।

 

କୃଷ୍ଣର ପାଦ ନଖପନ୍ତି ।

ଚନ୍ଦ୍ରକିରଣ ପ୍ରାୟେ ଜ୍ୟୋତି । ୨ ।

 

କୃଷ୍ଣର ପାଦ କେ ହୋଇଲା ।

ଚନ୍ଦ୍ର ପ୍ରାୟେକ ଝଟକିଲା । ୩ ।

 

ଏ ଅର୍ଥ ଫେଡ଼ି ମୋତେ କହ ।

ମନରୁ ଫେଡ଼ ମୋ ସନ୍ଦେହ । ୪ ।

 

ଶ୍ରୀଭଗବାନୁବାଚ - କହନ୍ତି କମଳ ଲୋଚନ ।

ଶୁଣ ଭକତ ଦେଇ ମନ । ୫ ।

 

କୃଷ୍ଣଙ୍କ ଅଟେ ଶୂନ୍ୟେ ବାସ ।

ଜ୍ୟୋତି ରୂପରେ ସେ ପ୍ରକାଶ । ୬ ।

 

 

ଅରୂପ ଶୂନ୍ୟ ବ୍ରହ୍ମଜ୍ୟୋତି ।

ସେ ପାଦେ ଦିଶେ ନଖପନ୍ତି । ୭ ।

 

ସେଠାରୁ ବିନ୍ଦୁ ପାଦୁ ଖସି ।

ଚନ୍ଦ୍ରକିରଣ ପ୍ରାୟେଦିଶି । ୮ ।

 

ଶୁଣି ଅର୍ଜୁନ ହେଲେ ତୋଷ ।

ସେ ବ୍ରହ୍ମ ପାଦେ ଦେଇ ଆଶ । ୯ ।

 

ବ୍ରହ୍ମାଣ୍ଡ-ଭୂଗୋଳ ପ୍ରକାଶ ।

ଭଣିଲେ ବଳରାମ ଦାସ । ୧୦ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଷଡ଼ବିଂଶୋଧ୍ୟାୟଃ ।

 

ସପ୍ତବିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଲେ ଭାବଗ୍ରାହୀ ।

ମୁଁ ତୁମ୍ଭ ଚରଣେ ପୁଚ୍ଛଇ । ୧ ।

 

ଈଶ୍ୱର ତେଜ ଅନ୍ତରାଳ ।

ତକ୍ଷଣେ ଉପୁଜିଲା କାଳ । ୨ ।

 

କାଳସ୍ୱରୂପ ଜାତ ହେଲା ।

ବିଷ୍ଣୁର ମାୟା ନ ପଡ଼ିଲା । ୩ ।

 

କେମନ୍ତେ ଅନ୍ତରାଳ ହେଲା ।

କାଳକୁ କେବା ଜାତ କଲା । ୪ ।

 

ଏ ଅର୍ଥ କହ ମୋତେ ଫେଡ଼ି ।

ପୁଚ୍ଛଇ ତୁମ୍ଭ ପାଦେ ପଡ଼ି । ୫ ।

 

ଶ୍ରୀ ଭଗବାନୁବାଚ - ଶୁଣ ଅର୍ଜୁନ ଦେଇ ଚିତ୍ତ ।

ତୋତେ କହିବା ଭାଗବତ । ୬ ।

 

 

ଈଶ୍ୱର ନିରାକାର ହରି ।

ଜ୍ୟୋତି ରୂପରେ ସେ ବିହରି । ୭ ।

 

ତା ଦେହୁ ବିନ୍ଦୁ ଉଛୁଳିଲା ।

ଅନ୍ତରାଳରେ ସେ ପଶିଲା । ୮ ।

 

କାଳଟି ଅର୍ଦ୍ଧମାତ୍ରା କହି ।

କାଳରୁ ଜୀବ ଆତ୍ମା ହୋଇ । ୯ ।

 

ସତ୍ତ୍ୱ ଗୁଣରେ ସେ ପାଳଇ ।

କାଳ ରୂପରେ ସଂହାରଇ । ୧୦ ।

 

କହଇ ବଳରାମ ଦାସ ।

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ । ୧୧ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରିଅର୍ଜୁନ ସମ୍ବାଦେ ନାମସପ୍ତବିଂଶୋଽଧ୍ୟାୟଃ ।

 

ଅଷ୍ଟବିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ଶୁଣି କୃତକୃତ୍ୟ

ଶିରେଯୋଡ଼ଇ ବେନି ହସ୍ତ

 

ଯେସନେ ଜଳବିମ୍ବ ଜଳେ

ରୂପ ପ୍ରକାଶେ ବାୟୁ ବଳେ

 

କେମନ୍ତେ ଜଳବିମ୍ବ ହେଲା

ବାୟୁରେ ପ୍ରକାଶ ହୋଇଲା

 

ବିରାଟ ପୁରୁଷ ଯେ କହି

ସେଠାରେ ପ୍ରକାଶ ହୁଅଇ

 

ଭକତ ବନ୍ଧୁ ତୁମ୍ଭେ ହରି

କହିବ ଭୂଗୋଳ ବିସ୍ତାରି

 

ଶ୍ରୀଭଗବାନୁବାଚ - ଶୁଣ ଅର୍ଜୁନ ହୋଇ ତୋଷ

ତୋ ଆଗେ କରିବ ପ୍ରକାଶ

 

 

ଜଳଟି ମାତା ରଜ ହୋଇ

ବୀଜଟି ବିନ୍ଦୁ ସେ ବୋଲାଇ

 

ବାୟୁବଳରେ ଜାତ ହୋଇ

ବିରାଟ ଜ୍ୟୋତିରୂପେ ଥାଇ

 

ରଜୋବୀଜର ମଧ୍ୟେ ମୁହିଁ

ବିରାଟ ରୂପେ ଥିଲି ରହି

 

ଶୁଣି ଅର୍ଜୁନ ହେଲେ ତୋଷ

ଭଣିଲେ ବଳରାମ ଦାସ ୧୦

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଅଷ୍ଟବିଂଶୋଽଧ୍ୟାୟଃ ।

 

ଊନତ୍ରିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଲଇ ଗୋସାଇଁ ।

କଥାଏ ପଚାରିବି ମୁହିଁ । ୧ ।

 

ଦ୍ୱାଦଶ ସୂର୍ଯ୍ୟ ଶୂନ୍ୟେ ରହେ ।

ତିନି ଭୁବନ ତେଜେ ଦହେ । ୨ ।

 

ଅଗ୍ନି ଯେ କାହୁଁ ଜାତ ହେଲା ।

ପାତାଳ ସମସ୍ତ ଦହିଲା । ୩ ।

 

ଦହିଣ ଗଗନେ ମିଳଇ ।

ଧାରାବରଷେ ଘୋର ବାଇ । ୪ ।

 

ହସ୍ତୀଶୁଣ୍ଢଟି କେ ହୋଇଲା ।

ଧାରା କେମନ୍ତେ ବରଷିଲା

 

ଦ୍ୱାଦଶ ସୂର୍ଯ୍ୟଟି କେମନ୍ତେ

ଫେଡ଼ି କହିବ ଜଗନ୍ନାଥେ

 

 

ଶ୍ରୀଭଗବାନୁବାଚ - ପ୍ରଳୟ କାଳର ଏ କଥା

ଶୁଣ ଅର୍ଜୁନ ସାଧୁଚେତା

 

ଦ୍ୱାଦଶ ଅଙ୍ଗୁଳି ପବନ

ଦ୍ୱାଦଶ ସୂର୍ଯ୍ୟ ବୋଲି ଜାଣ

 

ନାସାର ଅଗ୍ରେ ସେ ବସଇ

ତା ମୁଖୁଁ ଅଗ୍ନି ଜାତ ହୋଇ

 

ପାଦହୃଦୟ ଶିର କହି

ଏ ତିନି ଭୁବନ ଦହଇ ୧୦

 

ପବନ ମେଘମାଳ ହେଲା

ଗଗନ କପାଳକୁ କଲା ୧୧

 

ଶରୀରୁ ପବନ ଛାଡ଼ଇ

ସେଠାରେ ପ୍ରବେଶ ହୁଅଇ ୧୨

 

ଅନନ୍ତ ଜ୍ୟୋତି ରୂପଜାଣ

ସେଠାରୁ ଅଗ୍ନି ଜାତ ପୁଣ ୧୩

 

ଅଗ୍ନି କଣିକା ଯେ ସମ୍ଭୁତି

ଶରୀର ପାତାଳ ପୋଡ଼ନ୍ତି ୧୪

 

ସମ୍ବର୍ତ୍ତମେଘସନ୍ନିପାତ

ଜଳ ବରଷେ ନିରିଘାତ ୧୫

 

କାଳ ବିକାଳ ବେନି ଧାରା

ଛାଡ଼ନ୍ତି ଯେହ୍ନେ ଜଳ ଧାରା ୧୬

 

ଉଲଟ ପବନ ପ୍ରଖର

ହସ୍ତୀ ଶୁଣ୍ଢ ଯେ ନାମ ତା’ର ୧୭

 

ଶୁଣି ଅର୍ଜୁନ ହେଲେ ତୋଷ

ଭଣିଲେ ବଳରାମ ଦାସ ୧୮

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଊନବିଂଶୋଽଧ୍ୟାୟଃ ।

 

ତ୍ରିଂଶ ଅଧ୍ୟାୟ

 

ଅର୍ଜ୍ଜୁନ ଉବାଚ - ଅର୍ଜ୍ଜୁନ ବୋଲଇ ଗୋସାଇଁ

ସଂଶୟ ଚିତ୍ତେ ପଚାରଇ

 

ଜଳ ବହୁଳେ ସୃଷ୍ଟି ନାଶ

ତା’ ଦେଖି ବିରାଟ ପୁରୁଷ

 

ତକ୍ଷଣେ ଛାଡ଼ି ତ୍ରିଭୁବନ

ବ୍ରହ୍ମଶରୀରେ ହେଲେ ଲୀନ

 

ତିନି ଭୁବନ ସେ ଛାଡ଼ିଲେ

କେମନ୍ତେ ବ୍ରହ୍ମରେ ମିଳିଲେ

 

କେହ୍ନେ ପ୍ରଳୟୁ ନ ସହିଲା

ମହତ ଦେହେ ବିସ୍ତାରିଲା

 

ପ୍ରଳୟ କେମନ୍ତେ ବିସ୍ତାରି

ବ୍ରହ୍ମାଣ୍ଡ ଦିଏ ଧ୍ୱଂସ କରି

 

 

ପରମ ଆତ୍ମା କେ ବୋଲାଇ

ବିରାଟ ପୁରୁଷଟି କେହି

 

କେମନ୍ତେ ପ୍ରଳୟ ହୋଇଲା

ସଂଶୟ ମୋ ଚିତ୍ତେ ରହିଲା

 

ଶ୍ରୀ ଭଗବାନୁବାଚ - ଅର୍ଜୁନ ବାକ୍ୟେ ଭଗବାନ

କହନ୍ତି ଭୂଗୋଳ ବଚନ

 

ଜଳ ଯେ ସନ୍ନିପାତ କହି

ବହୁଳ ଅଗ୍ନିରୁ ବହଇ ୧୦

 

ଡାହାଣ ବାୟୁ ଅଗ୍ନି ଜାଣ

ବାମ ନାସିକା ଜଳ ପୁଣ ୧୧

 

ଡାହାଣ ନାସା ଅଗ୍ନିବହି

ବାମରେ ଏକ ବହୁଥାଇ ୧୨

 

ଅନଳ ଜଳ ଏକ ହେଲା

ଏମନ୍ତେ ବ୍ରହ୍ମାଣ୍ଡ ଦହିଲା ୧୩

 

ପରମ ବିରାଟ ଯେ ହୋଇ

ତିନି ଭୁବନେ ସେ ଦହଇ ୧୪

 

ତକ୍ଷଣେ ପାଦରୁ ଛାଡ଼ଇ

ନାଭିରେ ପ୍ରବେଶ ହୁଅଇ ୧୬

 

ସେଠାରୁ ବିରାଟ ଯେ ହେଲା

ହୃଦୟ କଣ୍ଠଯାଏ ଗଲା ୧୭

 

ଚକ୍ଷୁରେ ନିରଞ୍ଜନ ବାସ

ପରମ ଆତ୍ମାରେ ପ୍ରବେଶ ୧୮

 

ପ୍ରଳୟ ସହି ନ ପାରିଲା

ମହତ ଦେହେ ବିଶ୍ରାମିଲା ୧୯

 

କହଇ ବଳରାମ ଦାସ

ସେ ନିରଞ୍ଜନେ ମୋର ଆଶ ୧୯

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ତ୍ରିଂଶୋଽଧ୍ୟାୟଃ ।

 

ଏକତ୍ରିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଶ୍ରୀକୃଷ୍ଣ ପାଦେ ଦେଇ ମତି

ପୁଣି ଅର୍ଜୁନ ପଚାରନ୍ତି

 

ଶୁଣ ହେ ପ୍ରଭୁ ଲକ୍ଷ୍ମୀପତି

ଏ ଅର୍ଥ କହ ଫିଟୁଭ୍ରାନ୍ତି

 

କୋଟିବ୍ରହ୍ମାଣ୍ଡ ଏହିମତେ

ଯାହାର ଦେହୁ ହୁଏ ନିତ୍ୟେ

 

ପବନ ଦଶଦିଗେ ଗଲା

କେମନ୍ତେ ଅଗ୍ନିରେ ମିଳିଲା

 

କୋଟି ବ୍ରହ୍ମାଣ୍ଡ କେ ସର୍ଜଇ

କାହାର ଦେହେ ନ ମିଶଇ

 

ଏ କଥା ଫେଡ଼ି ମୋତେ କହ

ମନରୁ ଫେଡ଼ ମୋ ସନ୍ଦେହ

 

 

ଶ୍ରୀ ଭଗବାନୁବାଚ - କହନ୍ତି ପ୍ରଭୁ ଭଗବାନ

ଅର୍ଜୁନ ଶୁଣ ତତ୍ତ୍ୱଜ୍ଞାନ

 

ମହାଶୂନ୍ୟଟି ଯାହା କହି

ଅଗ୍ନିର ରୂପ ସେ ଅଟଇ

 

ସେଠାରୁ ପବନ ଜନ୍ମଇ

ବ୍ରହ୍ମାଣ୍ଡ ସର୍ବ ଘଟେ ଥାଇ

 

ମହା ଶୂନ୍ୟଟି ଚକ୍ଷୁ ଜାଣ

ଦଶଦ୍ୱାରେ ଯାଏ ପବନ ୧୦

 

ସର୍ବ ଦ୍ୱାରରେ ଯେ ବହଇ

ଚକ୍ଷୁ ଅନଳେ ନ ମିଶଇ ୧୧

 

ଜ୍ୟୋତିରୂପ ଯେ ମହା ଶୂନ୍ୟ

ତା’ଠାରୁ କୋଟି କୋଟି ଜନ୍ମ ୧୨

 

କୋଟି କୋଟି ଯେ ଜନ୍ମ ହୋନ୍ତି

ପୁଣି ଅନଳେ ନ ମିଶନ୍ତି ୧୩

 

ଯେ ପ୍ରାଣୀ ଗୁରୁ ସେବା କରେ

ଅନ୍ତେ ବସଇ ସେହି ପୁରେ ୧୪

 

କହଇ ବଳରାମ ଦାସ

ସେ ଜ୍ୟୋତି ବ୍ରହ୍ମପାଦେ ଆଶ ୧୫

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଏକତ୍ରିଂଶୋଽଧ୍ୟାୟଃ ।

 

ଦ୍ୱାତ୍ରିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଲେ ଭଗବାନ

କହ ହେ ଭାଗବତ ଧର୍ମ

 

ପୂର୍ବେ ଯେ ଦକ୍ଷ ପ୍ରଜାପତି

ତା’ର କୁମାରୀ ନାମ ବୁତ୍ତି

 

ଧର୍ମର ପତ୍ନୀ ଯେ ଯୁକତେ

ବିଷ୍ଣୁ ତାହାର ଗର୍ଭଗତେ

 

ଅରୂପ ହୋଇ ଯେବେଥିଲା

କେମନ୍ତେ ରୂପରାଶି ହେଲା

 

ବିଜୁଳି ପ୍ରାୟେକ ଖସିଲା

କେବଣ ଠାରେ ତପ କଲା

 

ସେ ତପ ଦେଖି ଇନ୍ଦ୍ରମନ

ପେଶିଲା ଯେ ଗନ୍ଧର୍ବଗଣ

 

 

ଭଗ୍ନ କରିବାକୁ ସେ ଗଲେ

ପ୍ରଭୁତ ସେଠାରେ ଜାଣିଲେ

 

ଏକଥା କହ ବନମାଳି

ତୋ ନାମ ପଥକୁ ସଙ୍ଖାଳି

 

ଶ୍ରୀ ଭଗବାନୁବାଚ - କହନ୍ତି କମଳାର ବର

ଶୁଣ ହେ ଭକତ ଶେଖର

 

ପୂର୍ବେ ଯେ ମାତା ପଦ୍ମେଥାଇ

ବିଜୁଳି ପ୍ରାୟ ବିରାଜଇ ୧୦

 

ରଜରେ ବୀଜ ଯେ ପଡ଼ିଲା

ସେ ପୁଣି ଗର୍ଭରେ ଧଇଲା ୧୧

 

ବୀଜଟି ବ୍ରହ୍ମାବିଷ୍ଣୁ ହୋଇ

ସେନାରୀ ଗର୍ଭରେ ରହଇ ୧୨

 

ରଜରେ ବୀଜ ଯୁକ୍ତ ହେଲା

ପଦ୍ମବନରେ ସେ ରହିଲା ୧୩

 

ଅତି ନିର୍ମଳ ସେହୁ ସ୍ଥାନ

ଗହନ କାନନ ଯେ ବନ ୧୪

 

ସେ ବନ ମଧ୍ୟେ ତପେ ପଶି

ସେ ନର ନାରାୟଣ ଋଷି ୧୫

 

କାମ କ୍ରୋଧକୁ ଦୂର କରି

ଶୂନ୍ୟ ବ୍ରହ୍ମରେ ଚିତ୍ତ ଧରି ୧୬

 

ଆହାର କରି ରାମ ନାମ

ମହାଶୂନ୍ୟରେ ଦେଇ ମନ ୧୭

 

ଇନ୍ଦ୍ରକୁ ଇନ୍ଦ୍ର ବୋଲି କହି

ମନ ଇନ୍ଦ୍ରିୟ ସେ ବୋଲାଇ ୧୮

 

ମନ ଇନ୍ଦ୍ରିୟ ବିଚାରିଲେ

ଭୟରେ ପଶି ନ ପାରିଲେ ୧୯

 

ମନରଦୂତ କାମଜାଣ

ଆବର ତୀକ୍ଷ୍‌ଣ ପଞ୍ଚବାଣ ୨୦

 

କାମ କୋଦଣ୍ଡ ଗୁଣ ଦେଇ

ବିନ୍ଧିଲା କୋପଭର ହୋଇ ୨୧

 

ସେ ବାଣ ଶରୀରେ ବାଜିଲା

ତପସମାଧି ଭଗ୍ନହେଲା ୨୨

 

ଦିବ୍ୟଲୋଚନେ ସେହୁ ଚାହିଁ

ଇନ୍ଦ୍ରିଗଣକୁ ଆଜ୍ଞା ଦେଇ ୨୩

 

ମହାଶୂନ୍ୟରେ କନ୍ୟା ଥିଲା

ଏକ କନ୍ୟାଏ ଯାଚିଦେଲା ୨୪

 

କନ୍ୟାଟି ‘ରା’ ଅକ୍ଷର ଜାଣ

ମୋହିଲା ସ୍ୱର୍ଗର ଭୁବନ ୨୫

 

ଶୁଣି ଅର୍ଜୁନ ହେଲେ ତୋଷ

ଭଣିଲେ ବଳରାମ ଦାସ ୨୬

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଦ୍ୱାତ୍ରିଂଶୋଧ୍ୟାୟଃ ।

 

ତ୍ରୟୋତ୍ରିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ଯୋଡ଼ି କରତଳ

ପଡ଼େଗୋବିନ୍ଦ ପାଦତଳ

 

ପଞ୍ଚମେ ମୀନରୂପ ହୋଇ

ଧରଣୀଭାରା ଶିରେ ବହି

 

ଭୂମିପାତାଳେ ଥିଲା ମଜ୍ଜି

ପ୍ରଳୟ କାଳେ ଜଳେ ମଜ୍ଜି

 

ଶୁକର ରୂପେ ପଦ୍ମକଳ୍ପେ

ଭୂମି ତୋଳିଲେ ଦନ୍ତ ଶିଖେ

 

ପ୍ରଳୟ ଜଳ କେ ହୋଇଲା

ଭୂମି ପାତାଳେ ହଜିଥିଲା

 

ଶୁକର ରୂପ ସେ ଧଇଲେ

କେମନ୍ତେ ଭୂମିକି ତୋଳିଲେ

 

 

ଏ ଅର୍ଥ କହ ଭାବଗ୍ରାହୀ

ମୁଁ ତୁମ୍ଭ ଚରଣେ ସେବଇ

 

ଶ୍ରୀ ଭଗବାନୁବାଚ - ଶୁଣ ଅର୍ଜୁନ ନେଇ ମନ

ତୋତେ କହିବା ଦିବ୍ୟଜ୍ଞାନ

 

ପ୍ରଳୟ ବୋଲି ମାତା ରଜ

ଆବର ଜଳ ଅଟେ ବୀଜ

 

ରଜରେ ବୀଜ ଯେ ପଡ଼ିଲା

ଅନେକ ଦିନ ଭାସୁଥିଲା ୧୦

 

ସେଠାରେ ମତ୍ସ୍ୟପ୍ରାୟ ହୋଇ

କାମ ଯେ ଶଙ୍ଖାସୁର କହି ୧୧

 

ଶୁକର ଶରୀର ଧଇଲା

ପବନ ଦନ୍ତରେ ବହିଲା ୧୨

 

 

ଇନ୍ଦ୍ରିକି ଆଣିଣ ସ୍ଥାପିଲେ

ଦୁର୍ଲ୍ଲଭ ସୁଖେ ସେ ରହିଲେ ୧୩

 

କହଇ ବଳରାମ ଦାସ

ଶୁକର ପାଦେ ମୋର ଆଶ ୧୪

 

ଇତି ଶ୍ରୀ ବ୍ରହ୍ମାଣ୍ଡଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ତ୍ରୟୋତ୍ରିଂଶୋଽଧ୍ୟାୟଃ ।

 

ଚତୁଃତ୍ରିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ହୋଇ ଗଦ ଗଦ

ସାନନ୍ଦେ ଧରି କୃଷ୍ଣପାଦ

 

ଗଭୀର ସିନ୍ଧୁ ଜଳମଧ୍ୟେ

ମନ୍ଦର ଆଣି ସୁଖ ସାଧ୍ୟେ

 

ଏ ଅର୍ଥ କହ ଭଗବାନ

ନମସ୍ତେ ପ୍ରଭୁ ମହାଶୂନ୍ୟ

 

ଶ୍ରୀ ଭଗବାନୁବାଚ - ଶୁଣ ଅର୍ଜୁନ ସାଧୁଚେତା

ତୋତେ କହିବା ତତ୍ତ୍ୱ କଥା

 

ଗଭୀର ସିନ୍ଧୁ ଯାହା କହି

ମାତାର ପଦ୍ମ ସେ ଅଟଇ

 

ମନ ଯେ ବ୍ରହ୍ମବୀଜ ହେଲା

ରଜରେ ଯାଇ ଯୁକ୍ତ ହେଲା

 

 

ପରମ ମହାଗିରି ଜାଣ

କୂର୍ମରୂପରେ ସେ ପ୍ରମାଣ

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଚତୁଃତ୍ରିଂଶୋଽଧ୍ୟାୟଃ ।

 

ପଞ୍ଚତ୍ରିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ କୃତକୃତ୍ୟ ହୋଇ

ଶ୍ରୀକୃଷ୍ଣ ଚରଣେ ପୁଚ୍ଛଇ

 

ହେ କୃଷ୍ଣ ଆରତ ଭଞ୍ଜନ

କଥାଏ ପଡ଼ିଲା ମୋ ମନ

 

ଗଜ କୁମ୍ଭୀର ଯୁଦ୍ଧକାଳେ

ସେ ହରି ଚକ୍ର ଅନ୍ତରାଳେ

 

କୁମ୍ଭୀର ଗଜକୁ ଗ୍ରାସଇ

ଏ ଜ୍ଞାନ ମୋତେ କହ ଫେଇ

 

କୁମ୍ଭୀର କେଉଁଠାରେ ଥିଲା

ଗଜକୁ ସେହୁ ଗ୍ରାସକଲା

 

କେମନ୍ତେ ଦୁହେଁ ଭେଟହୋଇ

କୁମ୍ଭୀର ଗଜକୁ ଗ୍ରାସଇ

 

 

ଏ ଜ୍ଞାନ ଫେଡ଼ି ମୋତେ କହ

ଶୁଣି ଆକୁଳ ମୋର ଦେହ

 

ଶ୍ରୀ ଭଗବାନୁବାଚ - କହନ୍ତି କମଳ ଲୋଚନ

ଶୁଣ ଅର୍ଜ୍ଜୁନ ଦେଇ ମନ

 

ସଂସାରେ ଜୀବ ଖେଳୁ ଥାଇ

ମାୟା ମୋହରେ ସୁଖ ପାଇ

 

ପ୍ରଳୟ କାଳ ଯହୁଁ ହେଲା

ଜୀବକୁ କାଳ ଆଶ୍ରେକଲା ୧୦

 

ଜୀବରୁ କାଳ ଜାତ ହୋଇ

କୁମ୍ଭୀର ତାହାକୁଟି କହି ୧୧

 

ପରମ ଗଜ ବୋଲି ଜାଣି

ତ୍ରିକୁଟେ ଭେଟ ହୋନ୍ତି ପୁଣି ୧୨

 

ତ୍ରିକୁଟ ତ୍ରିବେଣୀଅଟଇ

କାଳିନ୍ଦୀ ହ୍ରଦ ସେ ବୋଲାଇ ୧୩

 

ହ୍ରଦରୁ ହଂସ ଯିବା କାଳେ

କୁମ୍ଭୀର ଗ୍ରାସେ ସେତେବେଳେ ୧୪

 

ଜୀବ ଚରଣକୁ ଧରିଲା

ଆତଙ୍କେ ଗଜ ଡାକଦେଲା ୧୫

 

ଶୂନ୍ୟ ଶବଦ ଚକ୍ର ଜାଣ

ଆମ୍ଭେ ପେଶିଲୁ ତତକ୍ଷଣ ୧୬

 

କାଳ ଗ୍ରାହାକୁ ନାଶ କରି

ପରମ ଗଜକୁ ଉଦ୍ଧରି ୧୭

 

ଶୁଣି ଅର୍ଜୁନ ହେଲେ ତୋଷ

କହଇ ବଳରାମ ଦାସ ୧୮

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ପଞ୍ଚତ୍ରିଂଶୋଽଧ୍ୟାୟଃ ।

 

ଷଟ୍‌ତ୍ରିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - କହେ ଅର୍ଜୁନ ଶୁଣ ହରି

କଥାଏ କହ ଦଇତାରି

 

କଶ୍ୟପ ରୁଷି ଯଜ୍ଞ ମେଳା

ଷଷ୍ଠୀ ସହସ୍ର ବାଳଖିଲ୍ୟା

 

କଶ୍ୟପ ଋଷି କେ ବୋଲାଇ

ବାଳଖିଲ୍ୟାଟି କେ ଅଟଇ

 

ଏ ଅର୍ଥ କହ ଭଗବାନ

ନମଇଁ ତୁମ୍ଭର ଚରଣ

 

ଶ୍ରୀ ଭଗବାନୁବାଚ - କହନ୍ତି ପ୍ରଭୁ ଭାବଗ୍ରାହୀ

ଶୁଣ ତୁ ଯୁଧିଷ୍ଠିର ଭାଇ

 

କଶ୍ୟପ ଋଷି ପୂର୍ବେ ଥିଲା

ଗଙ୍ଗାକୂଳରେ ତପକଲା

 

 

ଉର୍ବଶୀ ପ୍ରଭାତରୁ ଯାଇ

ଗଙ୍ଗାରେ ସ୍ନାନ ସେ କରଇ

 

ଋଷି ଦେଖିଣ ମୋହ ହୋଇ

ତକ୍ଷଣେ ବିନ୍ଦୁ ଉଛୁଳଇ

 

ତତ୍‌କ୍ଷଣେ ବିନ୍ଦୁ ଉଛୁଳିଲା

ସେ ବିନ୍ଦୁ ବାଲିରେ ପଡ଼ିଲା

 

ଷାଠିଏ ସହସ୍ର ବାଲିରେ

ବାଳକ ଯବ ପ୍ରମାଣରେ ୧୦

 

ତାହାଙ୍କୁ ଋଷି ଆଜ୍ଞା ଦେଲେ

ଯଜ୍ଞକୁ କାଷ୍ଠ ଆଣି ଗଲେ ୧୧

 

ଋଷିଙ୍କ ଆଜ୍ଞା ପ୍ରମାଣରେ

ବନରୁ କାଷ୍ଠ ସେ ଆଣିଲେ ୧୨

 

ଏମନ୍ତେ ନିତ୍ୟେ ସେ ପଶନ୍ତି

ବନରୁ କାଷ୍ଠ ସେ ଆଣନ୍ତି ୧୩

 

ଏକଦିନରେ ହୋଇ ମେଳା

ଆଣନ୍ତେ ବହୁ କାଷ୍ଠ ଭେଳା ୧୪

 

ଶ୍ରୀବତ୍ସ ନାମ ଯେ ମୋହର

ଗଙ୍ଗା ମୋ ପାଦରୁ ବାହାର ୧୫

 

ସେ କାଷ୍ଠ ବହି ଆଣୁଥିଲେ

ବାଳକେ ଗଙ୍ଗାରେ ପଡ଼ିଲେ ୧୬

 

ସମସ୍ତେ ହୋଇ ଏକମୁଖ

ଡାକିଲେ ନାରାୟଣ ରଖ ୧୭

 

ତକ୍ଷଣେ ବ୍ରହ୍ମରୂପଧରି

ବାଳକ ସଂକଟୁ ଉଦ୍ଧରି ୧୮

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ-ଭୂଗୋଳ ପ୍ରକାଶ ୧୯

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଷଟ୍‌ତ୍ରିଂଶୋଽଧ୍ୟାୟଃ ।

 

ସପ୍ତତ୍ରିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ କୃଷ୍ଣମୁଖ ଚାହିଁ

ସଂଶୟ ଫେଡ଼ ହେ ଗୋସାଇଁ

 

ବ୍ରହ୍ମରେ କହିଲି ଏ ଅର୍ଥ

ଫେଡ଼ି ବୁଝାଅ ପଦ୍ମନେତ୍ର

 

ଶ୍ରୀଭଗବାନୁବାଚ -

କାୟା କଶ୍ୟପ ଋଷିଶ୍ଚ, ପ୍ରକୃତି ବାଳଖିଳୟା

ରାଧାଽଙ୍ଗ ବତ୍ସା ପାଦସ୍ୟ, ଶୂନ୍ୟ ଶୂନ୍ୟ ମହାଶୂନ୍ୟ

 

ଶୁଣ ଅର୍ଜୁନ ମନ ଦେଇ

କହିବା ଭୂଗୋଳକୁ ଫେଇ

 

କାୟା ଯେ କଶ୍ୟପ ବୋଲାଇ

ବାଳଖିଲ୍ୟା ପ୍ରକୃତି ହୋଇ

 

ରାଧାଙ୍ଗ ବତ୍ସ ପାଦସାର

ରାଆ ଶବଦ ବେନିକର

 

ଧାଆ ଶବଦଟି ବାହାରେ

ମାଆ ଶବଦଟି ବିହରେ

 

ରାଆ ଯେ ଅମରେ ମିଳଇ

ଆଅଟି ନିରାକାର କହି

 

ଶୁଣି ଅର୍ଜୁନ ହେଲେ ତୋଷ

ଭଣିଲେ ବଳରାମ ଦାସ

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ସପ୍ତତ୍ରିଂଶୋଽଧ୍ୟାୟଃ ।

 

ଅଷ୍ଟତ୍ରିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ କହେ ଜଗନ୍ନାଥ

କଥାଏ ପଡ଼ିଲା ମୋ ଚିତ୍ତ

 

ପଶୁଏ ଥାନ୍ତି ପଶୁମେଳେ

ତା’ର ଜୀବନ ଅନ୍ତଃକାଳେ

 

ଧରି ଭକ୍ଷନ୍ତି ତାର ମାଂସ

କେବଳ ଅସ୍ଥି ରହେ ଶେଷ

 

ସେହୁ କେମନ୍ତ ହିଂସା କଲା

ଏ କଥା ସଂଶୟ ଲାଗିଲା

 

ଶ୍ରୀ ଭଗବାନୁବାଚ - କହନ୍ତି ଯଶୋଦା ନନ୍ଦନ

ଶୁଣ ଅର୍ଜୁନ ଦିବ୍ୟଜ୍ଞାନ

 

ସ୍ତିରୀଙ୍କି ପଶୁ ବୋଲି କହି

ପୁରୁଷ ପଶୁ ଏକ ହୋଇ

 

 

ଋତୁ ସମୟ ଯହୁଁ ହୋଇ

ପୁରୁଷ ଧରି ତା’ ଭକ୍ଷଇ

 

ଶରୀରୁ ଧାତୁ ଗଳିଯାଇ

କେବଳ ଅସ୍ଥି ମାତ୍ର ରହି

 

ବିଧିରେ କାଳ ଯାଇ ଗ୍ରାସେ

ସେ ପୁଣି ଅନ୍ତଃକାଳେ ମିଶେ

 

କହଇ ବଳରାମ ଦାସ

ସୁଜନେ ଏହା ଜ୍ଞାନ ଘୋଷ ୧୦

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମଅଷ୍ଟତ୍ରିଂଶୋଽଧ୍ୟାୟଃ ।

 

ଊନଚତ୍ୱାରିଂଶୋଧ୍ୟାୟ

 

ଅର୍ଜୁନ ଉବାଚ - ପୁଣି ଅର୍ଜୁନ ପାଦଧରି

କହଇ ଶୁଣ ଆହେ ହରି

 

ଦ୍ୱାରକାପୁରେ ସର୍ବସିଦ୍ଧି

ଯହିଁ ବିଜୟେ ଅଷ୍ଟନିଧି

 

ଶୂନ୍ୟମଣ୍ଡଳ ରଥେ ଥାଇ

ଜୟ ଶବଦ ତୁଣ୍ଡେ ଗାଇ

 

ନନ୍ଦନ ବନୁ ପୁଷ୍ପ ଆଣି

ପ୍ରୋକ୍ଷଣ କରି ଗଙ୍ଗାପାଣି

 

ଶୂନ୍ୟମଣ୍ଡଳ ରଥ କହି

ସେ ରଥେ ଦେବେ ଥିଲେ ରହି

 

ଦ୍ୱାରକାପୁର କେ ଅଟଇ

ଅଷ୍ଟନିଧି ଯେବେ ବୋଲାଇ

 

 

ନନ୍ଦନବନ କେ ହୋଇଲା

କେବଣଠାରୁ ପୁଷ୍ପ ଥିଲା

 

ଗଙ୍ଗା ଦେବୀ ଯେ କେହୁ ପୁଣ

କେମନ୍ତେ କଲା ସେ ମୋକ୍ଷଣ

 

ନମସ୍ତେ ପ୍ରଭୁ ପୀତବାସ

ଛେଦିବ ମନର ସନ୍ଦେଶ

 

ଶ୍ରୀ ଭଗବାନୁବାଚ - ଶୁଣ ହେ ଯୁଧିଷ୍ଠିର ଭାଇ

କହିବା ତୋତେ ଜ୍ଞାନ ଫେଇ ୧୦

 

ଦ୍ୱାରକା ବୋଲି ଯେଉଁ ପୁର

ମୋହର ଚକ୍ଷୁ ସେ ନିଜର ୧୧

 

ଅଷ୍ଟଦିଗରେ ଅଷ୍ଟସଖୀ

ଏହାଙ୍କୁ ଅଷ୍ଟନିଧି ଲେଖି ୧୨

 

ସକଳ ଭୁବନେ ଉତ୍ତମ

ମଧ୍ୟେ ବିଜୟେ ପରଂବ୍ରହ୍ମ ୧୩

 

ରାଆ ଶବଦ ଅର୍ଥ ଜାଣ

ଦେବତାଙ୍କର ସେ ଆସନ ୧୪

 

ନନ୍ଦନବନ ଦେହ ମୋର

ଯେ ପଞ୍ଚଭୂତ ପୁଷ୍ପସାର ୧୫

 

ଅନେକ ପ୍ରକାରେ କହିଲେ

ପ୍ରଭୁଙ୍କୁ ଗୁହାରି ସେ କଲେ ୧୬

 

ତାହାକୁ ଆଜ୍ଞା ଦେଲେ ହରି

ବୋଇଲେ ଯାଅ ମଞ୍ଚପୁରୀ ୧୭

 

ଯାବତ ଜୀବଗଣ କହି

ଏହାକୁ ନାଶି ପଛେ ମୁହିଁ ୧୮

 

କହିଲେ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ ୧୯

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଊନଚତ୍ତ୍ୱାରିଂଶୋଽଧ୍ୟାୟଃ ।

 

ଚତାରିଂଶୋଽଧ୍ୟାୟ

 

ଅର୍ଜୁନ ଉବାଚ - ପୁଣି ଅର୍ଜୁନ ପଚାରଇ

ହେ କୃଷ୍ଣ ମୋତେ କର ତ୍ରାହି

 

ବ୍ରହ୍ମାଣ୍ଡେ ଚରଣ ବାଜିଲା

ଶବଦେ ପ୍ରକୃତି କମ୍ପିଲା

 

ବ୍ରହ୍ମାଣ୍ଡ ଫାଟି ପାଦତଳେ

ଗଙ୍ଗା ପଡ଼ିଲେ ରସାତଳେ

 

ବ୍ରହ୍ମାଣ୍ଡ କେମନ୍ତେ ଫାଟିଲା

କେ ରସାତଳରେ ପଡ଼ିଲା

 

ତିନି ଭୁବନେ ତଜୋରାଶି

ଧ୍ୱଜ-ପତାକା ପ୍ରାୟ ଦିଶି

 

ତିନି ଭୁବନ କେ ହୋଇଲା

ପତାକା କେହୁ ବୋଲାଇଲା

 

 

ଏ ଅର୍ଥ ଫେଡ଼ି ମୋତେ କହ

ଶୁଣିଲେ ଫିଟିବ ସନ୍ଦେହ

 

ଶ୍ରୀ ଭଗବାନୁବାଚ - ଅର୍ଜୁନ ବଚନେ ଶ୍ରୀହରି

କହନ୍ତି ଭୂଗୋଳ ବିସ୍ତାରି

 

କହନ୍ତି କମଳଲୋଚନ

ଶୁଣ ଅର୍ଜୁନ ଦେଇ ମନ

 

ବ୍ରହ୍ମାଣ୍ଡ ଭାଣ୍ଡ ତାଳୁ କହି

ନାମ ଚରଣଟି ବାଜଇ ୧୦

 

ବ୍ରହ୍ମାଣ୍ଡଭାଣ୍ଡ ତାଳୁ ହେଲା

ତହିଁରେ ଚରଣ ବାଜିଲା ୧୧

 

ଶବଦ ରକାର ଅଟଇ

ଶବଦେ ପ୍ରକୃତି କମ୍ପଇ ୧୨

 

ଜୀବ ବ୍ରହ୍ମଟି ଗଙ୍ଗା ହୋଇ

ରଜଟି ରସାତଳେ କହି ୧୩

 

ଶୂନ୍ୟ ଭୁବନୁ ବିନ୍ଦୁ ଖସି

ଧ୍ୱଜ ପତାକା ପାଦେ ଦିଶି ୧୪

 

କହିଲେ ବଳରାମ ଦାସ

ସେ ଗଙ୍ଗା ପାଦେ ମୋର ଆଶ ୧୫

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଚତ୍ୱାରିଂଶୋଽଧ୍ୟାୟଃ ।

 

ଏକଚତ୍ୱାରିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ପୁଣି ଅର୍ଜୁନ ପଚାରଇ

ଭୋ ନାଥ ବ୍ରହ୍ମାଣ୍ଡ ଗୋସାଇଁ

 

ପୂର୍ବେ ଯେ ବିଦେହ ନଗରେ

କଥାଏ ପଡ଼ିଲା ମନରେ

 

ବିଦେହ ରାଜା କେ ବୋଲାଇ

କିବା ତାହାର ଦେହ ନାହିଁ

 

ରାଜ୍ୟର ନାମ କି ବିଦେହ

ଏ ବାକ୍ୟେ ଫେଡ଼ି ମୋତେ କହ

 

ଶ୍ରୀଭଗବାନୁବାଚ - ଅର୍ଜୁନ ବଚନେ ମୁରାରି

କହନ୍ତି ଭୂଗୋଳ ବିସ୍ତାରି

 

ଶୁଣ ଅର୍ଜ୍ଜୁନ ମନଦେଇ

ଉଚିତ ବାକ୍ୟ ଏ ବୋଲାଇ

 

 

ମାନବ ଦେହ ସର୍ବଦିନେ

ଏଣୁ ଏ ଦେହଧାରୀମାନେ

 

ଯେଣୁ ଏ ଦେହ ନ ରହିଲା

ତେଣୁ ବିଦେହ ବୋଲାଇଲା

 

ବିଦେହ ରାଜା ଜୀବ ହୋଇ

ନବ ଗ୍ରହଙ୍କ ଦୀକ୍ଷା ପାଇ

 

କହିଲେ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ । ୧୦ ।

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଏକଚତ୍ୱାରିଂଶୋଽଧ୍ୟାୟଃ ।

 

Unknown

ଦ୍ୱିଚତାରିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ମନର ବିକଳେ

ପଡ଼େ ଗୋବିନ୍ଦ ପାଦତଳେ

 

ଭୋ ନାଥ କମଳାରମଣ

ଶରଣ ପଞ୍ଜର ତୋ ନାମ

 

ଅବ୍ୟକ୍ତ ରୂପ ନିରାକାର

ଅନନ୍ତ ଶିରେ ତୋ ବିହାର

 

କାଳ ଶରୀରୁ ଆତ୍ମା ଜାତ

ସେ ନୁହେ ବିଷ୍ଣୁ ମାୟା ଗ୍ରସ୍ତ

 

କାଳ ସ୍ୱଭାବ ଶିଷ୍ୟ ଭାବ

ଆତ୍ମାଟି କିରୂପେ ସମ୍ଭବ

 

ଏକଥା କହ ନାମ ମୋତେ

ନମଇଁ ତୋର ପାଦାଗ୍ରତେ

 

 

ଚକାର ବିନ୍ଦୁ ରୂପେଣ ସର୍ବସୃଷ୍ଟି ପ୍ରକାଶୟେତ୍‌

ଅର୍ଦ୍ଧମାତ୍ରା ମହାକାଳ ଗ୍ରଥିତଂ ବିନ୍ଦୁ ରୂପକଂ

 

ଶ୍ରୀଭଗବାନୁବାଚ- ଶୁଣି ଅର୍ଜୁନ ଅନ୍ୟକଥା

ଯେହ୍ନେ ଖଣ୍ଡିବ ଭବବ୍ୟଥା

 

ଅରୂପବ୍ରହ୍ମ ଯେ ବୋଲାଇ

ବ୍ରହ୍ମାଣ୍ଡ ପୂରିଅଛି ତହିଁ

 

ସେ ନୀଳବର୍ଣ୍ଣ ପ୍ରାୟ ଜ୍ୟୋତି

ସେଠାରୁବିନ୍ଦୁ ଯେ ଉତ୍ପତ୍ତି ୧୦

 

ସେ ବିନ୍ଦୁ ଆତ୍ମା ଜୀବ ହୋଇ

ଅର୍ଦ୍ଧମାତ୍ରା ଉପରେ ରହି ୧୧

 

କାଳଟି ଅର୍ଦ୍ଧମାତ୍ରା ହୋଇ

ରଜୋଜୀବଟି ସେ ଅଟଇ ୧୨

 

ବିନ୍ଦୁଟି ଜୀବ ଆତ୍ମା ହୋଇ

କାୟା କଳ୍ପନା ଦେହ ପାଇ ୧୩

 

ସେଜୀବ ଈଶ୍ୱର ବୋଲାଇ

ବ୍ରାହ୍ମାଣ୍ଡ ଭୂଗୋଳ କହଇ ୧୪

 

କହିଲେ ବଳରାମ ଦାସ

ଈଶ୍ୱର ପାଦେ ମୋର ଆଶ ୧୫

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ଦ୍ୱିଚତ୍ୱାରିଂଶୋଅଽଧ୍ୟାୟଃ ।

 

ତ୍ରିଚତ୍ୱାରିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ- ଅର୍ଜୁନ ଶିରେ ଦେଇ କର

ବୋଲଇ ଶୁଣ ଚକ୍ରଧର

 

ଜଳେ ପାଷାଣ ପ୍ରାୟେ ମଜ୍ଜେ

ଗଜ ବନ୍ଧନ ତେହ୍ନେ ଗଜେ

 

ଏ ପଦ ଅର୍ଥ କହ ଫେଇ

ବ୍ରହ୍ମାଣ୍ଡ ଭୂଗୋଳ ବୁଝାଇ

 

ଶ୍ରୀ ଭଗବାନୁବାଚ -

ଓଁ କାରଂ ସର୍ବ ବ୍ୟାପିତଂ ଯେନ ଭବେନ ଦୃଶ୍ୟତେ

ଓଁ ଭାବେ ମାତୃଗର୍ଭେ ଚ; ରଜୋବୀର୍ଯ୍ୟ ସମଯୁକ୍ତକଂ । ୪ ।

 

ଶୁଣ ଅର୍ଜୁନ ମନଦେଇ

ବ୍ରହ୍ମାଣ୍ଡ ଭୂଗୋଳରେ କହି

 

ମାତାର ରଜ ଜଳ ହୋଇ

ପିତା ବୀଜଟି ପାଷାଣହିଁ

 

ଗଜଟି ରଜଭାଗ ଜାଣ

ବୀଜ ଭାଗଟିଗଜପୁଣ

 

ରଜ ଯେ ମାତା ଗର୍ଭେ ଥାଇ

ତହିଁ ପିତା ବୀଜ ପଡ଼ଇ

 

ବୀଜକୁ ରଜ ବନ୍ଦୀ କଲା

ଏମନ୍ତେ ବନ୍ଧନେ ପଡ଼ିଲା

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ତ୍ରିଚତ୍ୱାରିଂଶୋଽଧ୍ୟାୟଃ ।

 

ଚତୁଃଚତ୍ୱାରିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ- ଅର୍ଜୁନ ମନେ ମନେ ଗୁଣି

କହଇ ଶୁଣ ଚକ୍ରପାଣି

 

ପୁଣ୍ୟ କରିବ ପୁଣ୍ୟକାଳେ

ନିଷେଧ ନ କରିବ ଢାଳେ

 

ପୁଣ୍ୟକାଳଟି କେ ଅଟଇ

କେମନ୍ତେ ପୁଣ୍ୟ ସେକରଇ

 

ଏ ଅର୍ଥ ଫେଡ଼ି ମୋତେ କହ

ମନରୁ ଫେଡ଼ ମୋ ସନ୍ଦେହ

 

ଏମନ୍ତ ବାକ୍ୟ ଶୁଣି କର୍ଣ୍ଣେ

କହନ୍ତି କମଳ ଲୋଚନେ

 

ଶ୍ରୀ ଭଗବାନୁବାଚ- ଶୁଣ ଅର୍ଜୁନ ତୋଷ ମନେ

ତୋତେ କହିବା ଦିବ୍ୟଜ୍ଞାନେ

 

 

ମାତାର ପଦ୍ମ ଫୁଟିଥାଇ

ସେ ଦିନ ପୁଣ୍ୟକାଳ କହି

 

ସେ ଦିନ ପିତା ବୀଜ ଦେବ

ଆରଦିନରେ ନ ଛୁଇଁବ

 

ଏ ପରି ଅର୍ଥ ତତ୍ତ୍ୱସାର

ଶୁଣ ଅର୍ଜୁନ ମହାବୀର

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ ୧୦

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଚତୁଃଚତ୍ୱାରିଂଶୋଽଧ୍ୟାୟ ।

 

ପଞ୍ଚଚତ୍ୱାରିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ- ଅର୍ଜୁନ ବେନିକର ଯୋଡ଼ି

କୃଷ୍ଣ ଚରଣ ତଳେ ପଡ଼ି

 

ନାରଦ ମୁନି ଏକଦିନେ

ଗଲେ ବସୁଦେବ ଭୁବନେ

 

ପବିତ୍ରଜଳେ ପାଦଧୋଇ

ଆସନେ ବସାଇଲେ ନେଇ

 

ପବିତ୍ର ଜଳ କେହୁ ପୁଣ

ଏ ବାକ୍ୟ କହ ଭଗବାନ

 

ଶ୍ରୀ ଭଗବାନୁବାଚ-କହନ୍ତି କମଳ ଲୋଚନ

ଶୁଣ ଅର୍ଜୁନ ଦେଇ ମନ

 

ନାରଦେ ବସୁଦେବ ଦେଖି

ମନଆନନ୍ଦେ ହୋଇ ସୁଖୀ

 

 

ଆନନ୍ଦ ମନେ ଗଦଗଦ

ବୋଲଇ ଶୁଣ ହେ ନାରଦ

 

କୃଷ୍ଣ ମହିମା ମୋତେ କହ

ମନ ମୋ ସନ୍ତୋଷ କରାଅ

 

ଏତେକ ବୋଲି ପାଦଧରି

ବେନିନୟନୁ ବହେ ବାରି

 

ନୟନୁ ନୀର ଯେ ବହଇ

ନାରଦ ପାଦେ ପଡ଼େ ଯାଇଁ ୧୦

 

ପବିତ୍ର ଜଳ ସେ ଅଟଇ

ବ୍ରହ୍ମାଣ୍ଡ ଭୂଗୋଳରେ କହି ୧୧

 

ଏ ପଦ ଅର୍ଥର ବିଚାର

କହିଲେ ପ୍ରଭୁ ଅର୍ଥସାର ୧୨

 

ଶ୍ରୀ ଭଗବାନୁବାଚ-ଚୈତନ୍ୟ ବସୁଦେବ କହି

ତା’ର ଭବନ ଜ୍ୟୋତି ହୋଇ ୧୩

 

ନାରଦ ମନ ହେ ଅର୍ଜ୍ଜୁନ

ପବିତ୍ର ଜଳ ରଜ ଜାଣ ୧୪

 

ମନରୁ ପବନ ଖସଇ

ପବିତ୍ର ଜଳରେ ପଡ଼ଇ ୧୫

 

ଏମନ୍ତ ଅର୍ଥର ସନ୍ଦେହ

ଭଣିଲେ ବଳରାମ ଦାସ ୧୬

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନସମ୍ବାଦେ ନାମ ପଞ୍ଚଚତ୍ୱାରିଂଶୋଽଧ୍ୟାୟଃ ।

 

ଷଟ୍‌ଚତ୍ୱାରିଂଶ ଅଧ୍ୟାୟ

 

ଅର୍ଜୁନ ଉବାଚ- ଅର୍ଜୁନପୁଣି ପଚାରଇ

ବିନୟ ଭାବେତ୍ରାହି ତ୍ରାହି

 

କଥାଏ ମୋ ମନେ ପ୍ରବେଶ

କହିବା ହେଉ ଏସନ୍ଦେଶ

 

କପୋତ କପୋତି ବାଳକ

ଘେନିଣ ଚଳିଲା ଲୁବ୍‌ଧକ

 

ଶବର ଜାଲରେ ପଡ଼ିଲା

ଏକଥା ସଂଶୟ ଲାଗିଲା

 

କପୋତକପୋତିକେ ପୁଣ

ବାଳକ କେହୁ ତା ପ୍ରମାଣ

 

ଶବର କେଉଁଠାରେ ଥିଲା

ଆହାର କେହୁ ବୋଲାଇଲା

 

 

ଜାଲ ବୋଲିଣ ଏ କେମନ୍ତ

ଚାରି ଦିଗଟି କେହୁ ତତ୍ତ୍ୱ

 

ବୃକ୍ଷଯେ କେଉଁଠାରେ ଥିଲା

ବନ କେମନ୍ତେ ବୋଲାଇଲା

 

ଏ ଅର୍ଥ ଫେଡ଼ି ମୋତେକହ

ମନରୁ ଫେଡ଼ ମୋ ସନ୍ଦେହ

 

ଶ୍ରୀଭଗବାନୁବାଚ-ଶୁଣ ଅର୍ଜୁନ ମନଦେଇ

ଉତ୍ତମ ଶିଷ୍ୟେ ଗୁରୁ କହି ୧୦

 

ବୃକ୍ଷ ବୋଲିଣ ଦେହ ଜାଣ

ଜୀବ ପରମ ପକ୍ଷୀ ପୁଣ ୧୧

 

ଜୀବଟି କପୋତୀହୋଇଲା

କପୋତ ପରମକୁ କଲା ୧୨

 

ଏ ବୃକ୍ଷେ ବେନି ପକ୍ଷୀ ଥାନ୍ତି

ଏକ ଆରେକ ବିହରନ୍ତି ୧୩

 

ପରମଶୂନ୍ୟ ତା’ର ବାସ

ସକଳଭାବେ ସେ ଉଦାସ ୧୪

 

ନିରତେ ପକ୍ଷୀରୂପେ ଥାଇ

ବାସନା ଭୋଗେ ତୋଷହୋଇ । ୧୫ ।

 

ରାମ ନାମଟି ତାହାଙ୍କର

ସାକ୍ଷୀ ସ୍ୱରୂପେ ତା’ ବିହାର ୧୬

 

କପୋତୀ ମାୟାରେ ବିହରେ

ନିରତେ ନାନା କର୍ମ କରେ ୧୭

 

ମତ୍ତଗର୍ବରେ କର୍ମ କରି

ସ୍ତିରୀ ସଙ୍ଗମେ ନିତ୍ୟେପଡ଼ି ୧୮

 

ଏମନ୍ତେ ପ୍ରାଣୀ ଯାଇ ନାଶ

ଶୁଣ ଅର୍ଜୁନ ଜ୍ଞାନରସ ୧୯

 

ପ୍ରଳୟକାଳରେ ଏକଥା

ଶୁଣିବାକୁ ତୁ ସାମରଥା ୨୦

 

କାଳଟି ଶବରକୁ କହି

ସନ୍ନିପାତଟି ଜାଲ ହୋଇ ୨୧

 

ବେନି ବାଳକ ଚକ୍ଷୁ ପୁଣ

ଆହାର ରାକ୍ଷସଟି ଜାଣ ୨୨

 

ଏଦେହ ବନ ବୋଲି କହି

କର୍ଣ୍ଣ ନାସିକା ଦିଗହୋଇ ୨୩

 

ସନ୍ନିପାତଟି ଆକର୍ଷଇ

ଏମନ୍ତେ ପ୍ରଳୟହୁଅଇ ୨୪

 

ମୁଖ ନାସିକା ଚକ୍ଷୁ କର୍ଣ୍ଣ

ଏ ଚାରିଦିଗ ହୋଇଶୂନ୍ୟ ୨୫

 

ରାଆ ଶବଦଟି ହଜିଲା

ଜୀବପରମ ଖୋଜିଗଲା ୨୬

 

ଚିଆଁ ଚୈତନ୍ୟ ବେନିବାଳେ

ଏଣେ ପଡ଼ନ୍ତିଯାଇଜାଲେ ୨୭

 

କପୋତକପୋତୀ ମିଳନ୍ତି

ଚାରିଦିଗକୁ ସେ ଗମନ୍ତି ୨୮

 

ସମସ୍ତେ ବୃକ୍ଷ ଛାଡ଼ିଗଲେ

ଓଁ କାର ଶବଦେ ମିଳିଲେ ୨୯

 

ଶବର ଘେନି ଚଳିଗଲା

ନିଜ ଭୁବନରେ ଥୋଇଲା ୩୦

 

ଶୁଣି ଅର୍ଜୁନ ହେଲେ ତୋଷ

ଭଣିଲେ ବଳରାମ ଦାସ ୩୧

 

ଇତି ଶ୍ରୀ ବ୍ରହ୍ମାଣ୍ଡଭୂଗୋଳ ବର୍ଣ୍ଣନେ ହରିଅର୍ଜୁନ ସମ୍ବେଦେ ନାମ ଷଟ୍‌ଚତ୍ୱାରିଂଶୋଽଧ୍ୟାୟ ।

 

ସପ୍ତଚତ୍ୱାରିଂଶ ଅଧ୍ୟାୟ

 

ଅର୍ଜୁନଉବାଚ - ଅର୍ଜୁନ ବୋଲଇ ଗୋସାଇଁ

ଆହୁରି ପାଦେକ ଅଛଇ

 

କପୋତ ଡିମ୍ବ କେ ଦିଅଇ

ବେନି ବାଳକ ତହୁଁ ହୋଇ

 

ଏକ ଡିମ୍ବରୁ ବେନିଛୁଆ

ଫେଡ଼ି କହିବ ଚଉବାହ

 

ଶ୍ରୀ ଭଗବାନୁବାଚ-କହନ୍ତି ପ୍ରଭୁ ଦଇତ୍ୟାରି

ଶୁଣ ଅର୍ଜୁନ ହେତୁ କରି

ଶୂନ୍ୟରୁ ବିନ୍ଦୁ ଯେ ଖସିଲା

ମାତାର ପଦ୍ମରେ ପଡ଼ିଲା

 

ସେ ରଜବୀର୍ଯ୍ୟ ଏକଠାରେ

ହୋଇଲା ଡିମ୍ବ ଏପ୍ରକାରେ

 

 

କେତେକ ଦିନ ତହିଁ ଗଲା

ସେ ଡିମ୍ବ ବେନି ଫାଳ ହେଲା

 

ଜୀବ ପରମ ବେନି ହୋଇ

ରାଆ ଯେ ମାଆଟି ବୋଲାଇ

ଶରୀର ଡିମ୍ବ ବୋଲାଇଲା

ବେନି ବାଳକ ଚକ୍ଷୁ ହେଲା

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ ୧୦

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରିଅର୍ଜୁନ ସମ୍ବାଦେ ନାମ ସପ୍ତଚତ୍ୱାରିଂଶୋଽଧ୍ୟାୟଃ ।

 

ଅଷ୍ଟଚତ୍ୱାରିଂଶ ଅଧ୍ୟାୟ

 

ଅର୍ଜୁନଉବାଚ - ଅର୍ଜୁନ ବୋଲଇ ଗୋସାଇଁ

କଥାଏ ପଚାରିବି ମୁହଁ

 

ପରମ ବ୍ରହ୍ମ ନିରାକାର

ପୁରୁଷୋତ୍ତମ ଚକ୍ରଧର

 

ହେ ଦୀନବନ୍ଧୁ ଦଇତ୍ୟାରି

ପଦ୍ମନୟନ ଗଦାଧାରୀ

 

ହେ ନୀଳଗିରି ନାରାୟଣ

ଭକ୍ତକୁ ଯାଚୁ ତୁ ଶରଣ

 

ବ୍ରହ୍ମାଣ୍ଡ ଭୂଗୋଳ ପୁଚ୍ଛଇ

ଅର୍ଜୁନ ପୁଣି ପଚାରଇ

 

ପିଙ୍ଗଳା ପୂର୍ବଜନ୍ମ କାହିଁ

ମୋତେ କହବା ଭାବଗ୍ରାହୀ

 

 

ତା’ର କି ପୂର୍ବ ଭାଗ୍ୟଥିଲା

ଚିତ୍ତରେ ଚୈତନ୍ୟ ଜନ୍ମିଲା

 

ଏକଥା କହ ଦାମୋଦର

ପଦ୍ମନୟନ ଗଦାଧର

 

ଶ୍ରୀ ଭଗବାନୁବାଚ- କହନ୍ତି କମଳାର ବର

ଶୁଣ ଅର୍ଜୁନମହାବୀର

 

ପୂର୍ବେ କମଠ ନୃପବର

ଦିନେ ଦେଖିଲା ତପୀବର ୧୦

 

ମାତଙ୍ଗ ଋଷିଙ୍କ ବନରେ

ପ୍ରବେଶ ହୋଇ ଧାତିକାରେ ୧୧

 

ମାତଙ୍ଗ ମହାଋଷି ପତ୍ନୀ

ସତୀରେ ଗଣିତା କାମିନୀ ୧୨

 

ରାଜା ବୋଇଲେ ଚଣ୍ଡେ ଚାଲ

ଋଷି ଭାରିଯା ତୁମ୍ଭେ ହର ୧୩

 

ରାଜା ଆଜ୍ଞାରେ ଗଲେ ଚଣ୍ଡ

ଅତି ଦୁଷ୍ଟ ଯେ ସେ ପ୍ରଚଣ୍ଡ ୧୪

 

ଋଷିପତ୍ନୀଙ୍କୁ ସେ ହରିଲା

ଧର୍ମପଥକୁ ସେ ଛାଡ଼ିଲା ୧୫

 

ତହୁଁ ଯେ ଋଷି କ୍ରୋଧ ହୋଇ

କୋପେ ବୋଇଲେ ରାଜା ଚାହିଁ ୧୬

 

ଏ ଦୋଷେ ହେଉ ତୋ ମରଣ

ଜନ୍ମ ତୁ ପିଙ୍ଗଳା ହୋଇଣ ୧୭

 

ଏମନ୍ତ ଋଷି ଶାପ ଘେନି

ବୋଲେ କମଠ ନୃପମଣି ୧୮

 

କେମନ୍ତେ କାରଣ ପାଇବି

ବେଶ୍ୟା ଜନ୍ମରୁ ମୁଁ ତରିବି ୧୯

 

ଋଷି ବୋଇଲେ ରାଜପୁତ୍ର

ଆମ୍ଭର ବଚନ ଏ ସତ୍ୟ ୨୦

 

ବିଷ୍ଣୁ ଭକତ ତୁ ହୋଇବୁ

ଏ ଘୋରସଂସାରୁ ତରିବୁ ୨୧

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ ୨୨

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରିଅର୍ଜୁନ ସମ୍ବାଦେ ନାମ ଅଷ୍ଟଚତ୍ୱାରିଂଶୋଽଧ୍ୟାୟଃ ।

 

ଊନପଞ୍ଚାଶତ୍‌ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବିନୟ ଭାବରେ

ପଡ଼ଇ କୃଷ୍ଣର ପୟରେ

 

ହେ ନାରାୟଣ ଦୀନବନ୍ଧୁ

ଉଦ୍ଧର ତୋର ମାୟାସିନ୍ଧୁ

 

ପରମାର୍ଥରେ ଯେ କହିଲ

ଶରୀର ଅର୍ଥ ଗୁପ୍ତଜଳ

 

ଶରୀରେ ପିଙ୍ଗଳା କେ କହି

ଧନୀକ କେଅବା ଅଟଇ

 

ପଥେ ଯେ ଆତଯାତ ହେଲା

ତାକୁ ନୟନେ କେ ଦେଖିଲା

 

ତୁଚ୍ଛ ପୁରୁଷ କେ ଅଟଇ

ପ୍ରାଣନାଥଟି କେ ବୋଲାଇ

 

 

ନିଜ ଦେହଟି କେହୁ ପୁଣ

ଦ୍ୱାରଟି କେ ଅଟଇ ଜାଣ

 

ନିର୍ଣ୍ଣୟ କରି ମୋତେ କହ

ମନରୁ ଫେଡ଼ି ମୋ ସନ୍ଦେହ

ଶ୍ରୀଭଗବାନୁବାଚ - କହନ୍ତି ଜଗତ ସୋଦର

ଶୁଣ ଅର୍ଜ୍ଜୁନ ତତ୍ତ୍ୱ ସାର

 

ଜୀବଟି ପିଙ୍ଗଳା ଅଟଇ

ଧନୀ ପୁରୁଷ ମନକହି ୧୦

 

ଯହୁଁ ହୋଇଲା ପ୍ରାନ୍ତକାଳ

ଶରୀରେ ଘୋଟିଲାକ କାଳ ୧୧

 

କାଳ ଘୋଟନ୍ତେ ଜୀବ ଗଲା

ଶରୀର ଶୂନ୍ୟ ଯେ ହୋଇଲା ୧୨

 

ଏ ଦେହୁ ଛାଡ଼ିଯାନ୍ତେ ମନ

ପିଙ୍ଗଳା କରଇ ଭ୍ରମଣ ୧୩

 

ମଅ ଶବଦ ରୂପ କହି

ଗୁଆ ଶବଦ ଦ୍ୱାରା ହୋଇ ୧୪

 

ଗୃହ ବାହାରେ ପୁଣ ପୁଣ୍ୟ

ପିଙ୍ଗଳା କରଇ ଭ୍ରମଣ ୧୫

 

ପକ୍ଷୀ ଯେ ଆକାଶ ଅଟଇ

ଶୂନ୍ୟ ଶବଦେ ଖେଳୁଥାଇ ୧୬

 

ଚକ୍ଷୁ ପୁରୁଷ କାମ ଅର୍ଥ

ଜ୍ୟୋତିପୁରୁଷ ପ୍ରାଣନାଥ ୧୭

 

ଅନେକ ବେଳପରିଯନ୍ତେ

ପିଙ୍ଗଳା ଚାହୁଁଥିଲା ପଥେ ୧୮

 

ଯହୁଁ ସେ ଧନୀ ନ ଅଇଲା

ପିଙ୍ଗଳା ମନେ ବିଚାରିଲା ୧୯

 

ବୋଲଇ ଅନ୍ୟ କାର୍ଯ୍ୟନାହିଁ

କୃଷ୍ଣ ଶରଣ ଯିବି ମୁହିଁ ୨୦

 

ଏତେକ ହୃଦରେ ପାଞ୍ଚିଲା

ନୟନ ଟେକି ଅନାଇଲା ୨୧

 

ଦେଖିଲା ପରଂବ୍ରହ୍ମ ଜ୍ୟୋତି

ପାଦ୍ମପାଦରେ କଲା ସ୍ତୁତି ୨୨

 

ଆହେ ସୁଜନ ଜନେ ଶୁଣ

ପିଙ୍ଗଳା ଦୀକ୍ଷା ମନେଘନ ୨୩

 

ଭଣିଲେ ବଳରାମ ଦାସ

ପିଙ୍ଗଳା ପାଦେ ମୋର ଆଶ ୨୪

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରିଅର୍ଜୁନ ସମ୍ବାଦେ ନାମ ଊନପଞ୍ଚାଶତୋଽଧ୍ୟାୟଃ ।

 

ପଞ୍ଚାଶତ୍‌ଅଧ୍ୟାୟ

 

ଅର୍ଜୁନ ଉବାଚ - ବୋଲେ ଅର୍ଜୁନ ଶୁଣ ହରି

ସଂଶୟ ଅଛଇ ମୋହରି

 

ଚବିଶ ଗୁରୁଙ୍କ ସମ୍ବାଦ

ଫେଡ଼ି କହିବ ତତ୍ତ୍ୱବୋଧ

 

ମୀନ ପିଙ୍ଗଳା ବେଶ୍ୟାନାରୀ

କୁରୁର ବ୍ରାହ୍ମଣ କୁମାରୀ

 

ହରିଣୀ ଉର୍ଣ୍ଣନାଭ ଭରି

ଶରକାରକ ମଧୁହାରୀ

 

ଯେ ଯେତେ କୀଟ ଯେ ସଂସ୍କାରି

ଚବିଶ ଗୁରୁ ହେଲା ସରି

 

ନିର୍ମାୟା କରିଣ କହିବା

ଯେବେ ଘେନିଲ ମୋର ସେବା

 

 

ଶ୍ରୀଭଗବାନୁବାଚ – ଶୁଣ ଅର୍ଜୁନ ମନଦେଇ

କହିବା ଭାଗବତ ଫେଇ

 

ବ୍ୟକ୍ତ ତୁ ନ କରିବୁ କାହିଁ

ମୋ ପାଦପଦ୍ମ ଥାଅ ଛୁଇଁ

 

ଚବିଶ ଗୁରୁଙ୍କର ବାଣୀ

ତୋତେ କହିବା ପରମାଣି

 

କୁରର ପକ୍ଷୀ ଯାହା କହି

ପବନ ବୋଲି ତାହାକୁ ହିଁ ୧୦

 

ଜୀବଟି ବୀଜ ବୋଲିଜାଣ

ଭବ ଯେ ମାଂସ ପରିମାଣ ୧୧

 

ତାହାର ସ୍ୱାଦ ଯେକେ ଜାଣି

ବନ୍ଦୀ କରନ୍ତି ଗୃହେ ଆଣି ୧୨

 

ରଜରେ ବୀଜକୁ ଭୁଞ୍ଜାଇ

ପରମ ପକ୍ଷୀ କ୍ଷୟ ଯାଇ ୧୩

 

ଅଜଗରଟି ଭବ ବହି

ପୁଣ୍ୟ କାଳରେ ସେ ଭକ୍ଷଇ ୧୪

 

ଅନ୍ୟ-ଦିନରେ ଥାଇ ଭୋକେ

ସର୍ବ ଦେଖାଇ ସାକ୍ଷୀ ରୂପେ ୧୫

 

ଇନ୍ଦ୍ର ଯେ ଜିହ୍ୱା ବୋଲାଇଲା

ରାମ ନାମଟି ସେ ରଟିଲା ୧୬

 

ଏମନ୍ତେ ସଞ୍ଚଇ ଅନେକ

କେବଳ ମଣେ ଆତ୍ମା ସୁଖ ୧୭

 

ଏମନ୍ତେ ପ୍ରାଣ ଯାଇ ହତ

ତୋ ଆଗେ କହିଲି ନିୟତ ୧୮

 

ନାନା ପୁଷ୍ପରୁ ମଧୁଆଣି

ସଞ୍ଚଇ ନିଜ ପୁରେ ପୁଣି ୧୯

 

ଏ ଅର୍ଥ ଶୁଣ ହେ ଅର୍ଜୁନ

ବ୍ୟକ୍ତ ନ କର ତୁହି ପୁଣ ୨୦

 

ନିଜ ଗୃହଟି ପଦ୍ମ ହୋଇ

ପବନ ଫଣୀ ବୋଲି କହି ୨୧

 

ପୁଷ୍ପ ଯେ ଚକ୍ଷୁ ବୋଲି ଜାଣ

ସେଠାରୁ ଧାରା ବକ୍ଷେ ପୁଣ ୨୨

 

ବିନ୍ଦୁକୁ ମଧୁ ବୋଲି କହି

ଶୁଣ ଅର୍ଜୁନ ମନଦେଇ ୨୩

 

ଅନେକ ଶ୍ରମେ ତା ସଞ୍ଚଇ

ନିଶି ଦିବସେ ଦୁଃଖସହି ୨୪

 

ଅର୍ପଣେ ମଧୁପୁଷ୍ପ ନେଇ

ସଞ୍ଚଇ ଅତି ମୂଢ଼ ହୋଇ ୨୫

 

ଏଣୁଟି ପ୍ରାଣୀ ଯାଇ ହତ

ବିଘ୍ନ ତାହାକୁ ପରାପତ ୨୬

 

ଚବିଶ ଗୁରୁ ଭାବ ଜାଣ

ମନଟି କରଇ ଭ୍ରମଣ ୨୭

 

ମନକୁ ଆୟତ୍ତ କରିବ

ଚବିଶ ଗୁରୁଙ୍କୁ ପାଇବ ୨୮

 

କହନ୍ତି ପ୍ରଭୁ ଜଗନ୍ନାଥ

ଶୁଣ ହେ ଯୁଧିଷ୍ଠିର ଭ୍ରାତ ୨୯

 

ଶୁଣି ଅର୍ଜୁନ ହେଲେ ତୋଷ

ଭଣିଲେ ବଳରାମ ଦାସ ୩୦

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ପଞ୍ଚାଶତୋଽଧ୍ୟାୟଃ ।

 

ଏକପଞ୍ଚାଶତ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଲଇ ଗୋସାଇଁ

କଥାଏ ମନେ ପଡ଼ିଲଇଁ

 

ଯେସନେ ଶରକୃତ ପଥେ

ଶର ବିନ୍ଧଇ ହେଠମାଥେ

 

ତା’ର ନିକଟେ ରାଜା ଗଲା

କେବେହେଁ ତାହା ନ ଜାଣିଲା

 

ଶର ପଥଟି କେ ହୋଇଲା

କେବଣ ରାଜା ପାଶେ ଗଲା

 

ଏଅର୍ଥ ଫେଡ଼ି ମୋତେ କହ

ମନରୁ ସଂଶୟ ଫିଟାଅ

 

ଶ୍ରୀଭଗବାନୁବାଚ-ଶର ଯେ ପବନ ଅଟଇ

ମାତା ପିତାଙ୍କୁ ପଥକହି

 

 

ଅତିଯତ୍ନରେ ବାନ୍ଧିଥିଲା

ଶୂନ୍ୟରେ ବିନ୍ଦୁ ଯେ ଖସିଲା

 

ଜୀବସଙ୍ଗରେ ମନଗଲା

କେବେହେଁ ତାହା ନ ଜାଣିଲା

 

ଶୁଣି ଅର୍ଜୁନ ହେଲେ ତୋଷ

ଭଣିଲେ ବଳରାମ ଦାସ

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଏକପଞ୍ଚାଶତୋଽଧ୍ୟାୟଃ ।

 

ଦ୍ୱିପଞ୍ଚାଶତ୍‌ଅଧ୍ୟାୟ

 

ଅର୍ଜୁନ ଉବାଚ – ଅର୍ଜୁନ ପୁଣି ପଚାରଇ

କଥାଏ ମନେ ପଡ଼ିଲଇଁ

 

କମଳ ମଧ୍ୟେ ଭୃଙ୍ଗ ଯେହ୍ନେ

ମତ୍ତ ହୋଇଣ ମଧୁପାନେ

 

ଲୋଭେ କେମନ୍ତେ ନ ଛାଡ଼ିଲେ

ମର୍ତ୍ତ୍ୟରେ ବନ୍ଧନେ ପଡ଼ିଲେ

 

ଏ ପଦ ଅର୍ଥ ଫେଡ଼ି କହ

ଶୁଣିଲେ ସ୍ଥିର ହେବ ଦେହ

 

ଶ୍ରୀଭଗବାନୁବାଚ-ଅର୍ଜୁନ ବଚନେ ମୁରାରି

କହନ୍ତି ଭୂଗୋଳ ବିସ୍ତାରି

 

କମଳ ପୁଷ୍ପ ମଧୁ କହି

ଭୃଙ୍ଗ ଯେ ପବନ ଅଟଇ

 

ରଜୋବୀଜଙ୍କ ମଧ୍ୟେଥିଲା

ମୁଦ୍ରିତ ହୋନ୍ତେ ବନ୍ଦିହେଲା

 

ଶୁଣି ଅର୍ଜୁନ ହେଲେ ତୋଷ

ଭଣିଲେ ବଳରାମ ଦାସ

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଦ୍ୱିପଞ୍ଚାଶତୋଽଧ୍ୟାୟଃ ।

 

ତ୍ରିପଞ୍ଚାଶତ୍‌ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଲଇ ଗୋସାଇଁ

କଥାଏ ମନେ ପଡ଼ିଲଇଁ

 

ପୂର୍ବେ ସେ ଅବନ୍ତୀନଗରେ

କନ୍ୟାଏ ଥିଲା ବିପ୍ର ଘରେ

 

ସେ କନ୍ୟା କାହିଁ ଜାତହେଲା

ଏକଥା ସନ୍ଦେହ ଲାଗିଲା

 

ଶ୍ରୀ ଭଗବାନୁବାଚ - କହନ୍ତି ପ୍ରଭୁ ଭଗବାନ

ଶୁଣଅର୍ଜୁନ ଦିବ୍ୟଜ୍ଞାନ

 

ପୂର୍ବେ ଯେ ଦକ୍ଷପ୍ରଜାପତି

ତା’ର କୁମାରୀ ହୀରାମତୀ

 

ମାତା ପିତାଙ୍କୁ ନମାନିଲା

ନବଗ୍ରହଙ୍କୁ ସେ ବରିଲା

 

 

ତା’ ଶୁଣି ଦକ୍ଷପ୍ରଜାପତି

ଝିଅକୁ ଅଭିଶାପ ଦ୍ୟନ୍ତି

 

ଅବନ୍ତୀନଗରେ ଜନ୍ମିବୁ

ନବ ବ୍ରାହ୍ମଣଙ୍କୁ ବରିବୁ

 

ଏହାଙ୍କ ସଙ୍ଗ ନ କରିବୁ

ଧ୍ୟାନରେ ଶ୍ରୀକୃଷ୍ଣ ପାଇବୁ

 

ଏକଥା ପରମାର୍ଥେ ଭଣି

ଶରୀର ଅର୍ଥ ଶୁଣ ପୁଣି ୧୦

 

ବିଦେହ ନଗ୍ର ହେଲା ଦେହୀ

ବିପ୍ରଟି ଯଜ୍ଞରୂପେ ରହି ୧୧

 

ରାଆ ଯେ ପିତା ତା’ର ହେଲା

ନଅଟି ମାତା ବୋଲାଇଲା ୧୨

 

ଶବଦକନ୍ୟା ଯେ ଅଟଇ

ପ୍ରକୃତି ଧ୍ୟାନ ବୋଲି କହି ୧୩

 

ଅରୂପାନନ୍ଦଙ୍କୁ ଚିହ୍ନିଲା

ସେ କନ୍ୟା ବାୟାରୁ ତରିଲା ୧୪

 

ଶୁଣି ଅର୍ଜୁନ କର ଯୋଡ଼ି

କହେ ଗୋବିନ୍ଦ ପାଦେ ପଡ଼ି ୧୫

 

ରୋଳ ମୂଷଳ କେ ଅଟଇ

ଏକଥା କହ ଭାବଗ୍ରାହୀ ୧୬

 

ଅର୍ଜୁନ ବଚନେ ମୁରାରି

କହନ୍ତି ଭୂଗୋଳ ବିସ୍ତାରି ୧୭

 

ରୋଳଯେ ମନ ବୋଲାଇଲା

ପବନ ମୂଷଳହୋଇଲା ୧୮

 

କଙ୍କଣ ଅଷ୍ଟପାଟି ଜାଣ

ମୁଖ ନାସିକା ଚକ୍ଷୁ କର୍ଣ୍ଣ ୧୯

 

ଏମନ୍ତେ ଅଷ୍ଟ ଯେ କଙ୍କଣ

ତୁ ତାହା ଗଣ୍ଠି କରି ଘେନ ୨୦

 

ଯହୁଁ ସେ ଧ୍ୟାନରେ ବସିଲା

ଷଡ଼ କଙ୍କଣ ଫିଟାଇଲା ୨୧

 

ନାସିକା ରନ୍ଧ୍ରେ ଯେ କଙ୍କଣ

ରହିଲା ଏ ଦୁଇପ୍ରମାଣ ୨୨

 

ଭଣିଲେ ବଳରାମ ଦାସ

ବ୍ରହ୍ମାଣ୍ଡ-ଭୂଗୋଳ ପ୍ରକାଶ ୨୩

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ତ୍ରିପଞ୍ଚାଶତୋଽଧ୍ୟାୟଃ ।

 

ଚତୁଃପଞ୍ଚାଶତ୍‌ ଅଧ୍ୟାୟ

 

ଅର୍ଜୁନ ଉବାଚ - ଆହେ ଗୋବିନ୍ଦ ପୀତବାସ

ଶରଣଗଲି କରି ଆଶ

 

ସ୍ତ୍ରୀଶୂଦ୍ର ପତିତ ଚାଣ୍ଡାଳେ

ତରିଲେ ସାଧୁସଙ୍ଗ ମେଳେ

 

ସ୍ତିରୀ ଯେ କେହୁ ବୋଲାଇଲା

ପତିତ ଶୂଦ୍ରକେ ହୋଇଲା

 

କେବଣଠାରେ କାହିଁ ଥିଲେ

ଏହାକୁ କେମନ୍ତେ ଜାଣିଲେ

 

ଏକଥା କହ ଦାମୋଦର

ନମଇଁ ଚରଣେ ତୁମ୍ଭର

 

ଶ୍ରୀ ଭଗବାନୁବାଚ- ଅର୍ଜୁନ ବଚନେ ମୁରାରି

କହନ୍ତି ଭୂଗୋଳ ବିସ୍ତାରି

 

 

ଶୁଣ ଅର୍ଜୁନ ତତ୍ତ୍ୱରସ

ଯେଣେ ତୋହିର ପାପନାଶ

 

ନାରକା ବୋଲି ପ୍ରଭୁ ନାମ

ଯହିଁ କପିଳ ସାଧୁ ନାମ

 

ସେ ସାଧୁ ନଗର ଉପାନ୍ତ

ସ୍ଥାପିଣ ଏକଇ ଅଶ୍ୱତ୍‌ଥ

 

ନିତ୍ୟେ ସେ ବୃକ୍ଷମୂଳେ ଥା’ନ୍ତି

ସୁଖେ ଗୋବିନ୍ଦ ନାମ ଗା’ନ୍ତି ୧୦

 

ଏକ ସ୍ତିରୀଏ ଗ୍ରାମୁ ଯାଇ

ତଣ୍ଡୁଳ ସାଧୁଙ୍କୁ ସେ ଦେଇ ୧୧

 

ସାଧୁଙ୍କୁ ନୟନେ ଦେଖଇ

କର୍ଣ୍ଣରେ ନାମ ଶୁଣୁଥାଇ ୧୨

 

ମଧୁଆ ନାମେ ଶୂଦ୍ର ଯାଇ

ସାଧୁଙ୍କୁ ନୟନେ ଦେଖଇ ୧୩

 

ପତିତ ବୋଲି ଏକ ଥିଲା

ପାପରେ ବେଶ୍ୟା ସେ ହୋଇଲା ୧୪

 

କାହିଁ ସେ ନ ପାରଇ ଯାଇ

ସାଧୁଙ୍କ ସଙ୍ଗେ ପଡ଼ିଥାଇ ୧୫

 

ମୃଦୁ ଚାଣ୍ଡାଳ ତହିଁ ଥିଲା

ବଶିଷ୍ଠଋଷି ଶାପ ଦେଲା ୧୬

 

ତେଣୁ ସେ ଚାଣ୍ଡାଳ ହୁହଇ

ମୃଗୟୀ ବିନୋଦରେ ଯାଇ ୧୭

 

ଯୋଗେଣ ସାଧୁଙ୍କୁ ଯେ ଦେଖି

ଆନନ୍ଦ ଭାବେ ହେଲା ସୁଖୀ ୧୮

 

ସକଳ ତେଜି ସେ ରହିଲା

ସାଧୁଙ୍କ ଚରଣେ ଖଟିଲା ୧୯

 

କେତେହେଁ ଦିନ ତହିଁ ଗଲା

ସାଧୁଙ୍କ ପ୍ରାଣ ତ୍ୟାଗ ହେଲା ୨୦

 

ମେନକା ଅପସରୀ ସୁତ

ନାମ ତାହାର ସୁଦଳିତ ୨୧

ସାଧୁଙ୍କୁ ବବନ ବୋଇଲା

ରଥ ଘେନିଣ ଚଳିଗଲା ୨୨

ସାଧୁ ବୋଇଲେ କଥାଶୁଣ

ଆମ୍ଭର ସଙ୍ଗେ ଚାରିଜଣ ୨୪

ଯେବେ ସେ ରଥରେ ବସିବେ

ଆମ୍ଭେ ବସିବୁ ଭଲେ ତେବେ ୨୫

ସ୍ୱଦେହେ ଘେନି ସେ ଚଳିଲେ

ଅଦେହ ସାଧୁ ବିଜେକଲେ ୨୬

ସେ ପଞ୍ଚଜଣ ସଙ୍ଗେ ଯାଇ

କୃଷ୍ଣର ପାଦେ ଲୀନ ହୋଇ ୨୭

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ ୨୮

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରିଅର୍ଜୁନ ସମ୍ବାଦେ ନାମ ଚତୁଃପଞ୍ଚାଶତୋଽଧ୍ୟାୟଃ ।

 

ପଞ୍ଚପଞ୍ଚାଶତ୍‌ଅଧ୍ୟାୟ

 

ଅର୍ଜୁନ ଉବାଚ - ଶୁଣି ଅର୍ଜୁନ ଯେ ଅନାଇ

ପୁଣି ଶ୍ରୀକୃଷ୍ଣଙ୍କୁ ପୁଚ୍ଛଇ

 

ସ୍ତ୍ରୀ ଶୂଦ୍ର ପତିତ କେ ହୋଇ

ଦେହରେ କହ ଭାବଗ୍ରାହୀ

 

ଚାଣ୍ଡାଳ କେ ପୁଣ ହୋଇଲା

ଶୂଦ୍ର କେ ଦେହେ ବୋଲାଇଲା

 

ଗୁପ୍ତ ନ କରି ଫେଡ଼ି କହ

ମୋ ମନୁ ଫିଟାଅ ସନ୍ଦେହ

 

ଶ୍ରୀ ଭଗବାନୁବାଚ-ଶୁଣି ଅର୍ଜୁନର ବଚନ

କହନ୍ତି ଦେବକୀ ନନ୍ଦନ

 

ଶୁଣ ଅର୍ଜୁନ ମନ ଦେଇ

ମଦୁଆ ଶୂଦ୍ର ନାସା କହି

 

 

ତଡ଼ିତ ବେଶ୍ୟା ଚକ୍ଷୁ କହି

ଶୂଦ୍ର ପତିତ ସେ ବୋଲାଇ

 

ମୁଣ୍ଡ ଚାଣ୍ଡାଳ ବୋଲି କର୍ଣ୍ଣ

ତ୍ରୟ ଠୁଳରେ ସାଧୁ ନାମ

 

ସେ ସାଧୁ ଭଗବାନ କହି

ପରମ କୃଷ୍ଣ ସେ ଅଟଇ

 

ମହାଶୂନ୍ୟରେ ଲୀନ ହୋନ୍ତି

ଏହାକୁ ଉଦ୍ଧାରି ଧରନ୍ତି ୧୦

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ-ଭୂଗୋଳ ପ୍ରକାଶ ୧୧

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରିଅର୍ଜୁନ ଅମ୍ବାଦେ ନାମ ପଞ୍ଚପଞ୍ଚାଶତୋଽଧ୍ୟାୟଃ ।

 

ଷଟ୍‌ପଞ୍ଚାଶତ୍‌ଅଧ୍ୟାୟ

 

ଅର୍ଜୁନ ଉବାଚ - ପୁଣି ଅର୍ଜୁନ ପଚାରନ୍ତି

ଭୋ ନାଥ ଶୁଣ ଯଦୁପତି

 

ଏ ଷଡ଼ଚକ୍ର ଭେଦପୁରେ

ଶବଦ ଦ୍ୱାଦଶ ପ୍ରକାରେ

 

ଏ ଅର୍ଥ କହ ଭଗବାନ

ମୁଁ ତୁମ୍ଭ ଚରଣେ ଶରଣ

 

ଶ୍ରୀ ଭଗବାନୁବାଚ-ଅର୍ଜୁନ ବାକ୍ୟେ ଚକ୍ରଧର

କହନ୍ତି ଭୂଗୋଳ ବିସ୍ତାର

 

ଶରୀରେ ଦ୍ୱାଦଶ ଶବଦ

କହିବା ଶୁଣ ଚକ୍ରଭେଦ

 

ନାସାରେ ବିପଦ ଯେ ଦୁଇ

ବେନି କର୍ଣ୍ଣରେ ବେନି ମହୀ

 

 

ବେନି ଚକ୍ଷୁରେ ନିରଞ୍ଜନ

ତହିଁରେ ବେନି ଶବ୍ଦ ଘେନ

 

ମୁଖରେ ଶବଦେକ ଘେନ

ଗୃହେ ଶବଦର ପ୍ରମାଣ

 

ଅର୍ଦ୍ଧଜିହ୍ୱା ସଳଖେ ନାଦ

ଦଶ ଶବଦ ଅଟେ ଭେଦ

 

ଠୁଳ ଶୂନ୍ୟ ଶବ୍ଦ ଶୁଭଇ

ରାଧିକା ରଆ ଶବ୍ଦ ହୋଇ ୧୦

 

ଏହି ଠୁଳ ହୋ ସେ ଶବଦ

ପଦ୍ମରେ ଭ୍ରମଇ ଯେ ନାଦ ୧୧

 

ସେ ପଦ୍ମ ଭିତରେ ରହଇ

ଏ ଷଡ଼ଚକ୍ର ଭେଦ ବହି ୧୨

 

ଅର୍ଦ୍ଧ ଜିହ୍ୱା ସଳଖେ ବାଟ

ପଡ଼େ ତିଳଚୋପା କବାଟ ୧୩

 

ସେ ଦ୍ୱାରୁ ପବନ ବାହାରେ

ଦ୍ୱାଦଶ ଦ୍ୱାରେ ସେ ବିହରେ ୧୪

 

ବସ୍ତୁ ବିକାରେ ଭିନ୍ନ ବାଜେ

ଅନନ୍ତ ଧ୍ୱନି ଶୂନ୍ୟେ ବାଜେ ୧୫

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ ୧୬

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଷଟ୍‌ପଞ୍ଚାଶତୋଽଧ୍ୟାୟଃ ।

 

ସପ୍ତପଞ୍ଚାଶତ୍‌ଅଧ୍ୟାୟ

 

ଅର୍ଜୁନ ଉବାଚ - ପୁଣି ଅର୍ଜୁନ ପଚାରଇ

ଭୋ ନାଥ ଶୁଣ ଭାବଗ୍ରାହୀ

 

ଏ ତିନିପୁରେ ତୋ ବିଭୂତି

କେଉଁ ସ୍ଥଳରେ ତୋର ସ୍ଥିତି

 

ଏ ବାକ୍ୟ କହ ଦାମୋଦର

ନମଇଁ ଚରଣେ ତୁମ୍ଭର

 

ଶ୍ରୀ ଭଗବାନୁବାଚ-ଶୁଣ ଅର୍ଜୁନ ମନଦେଇ

ଏ ଜ୍ଞାନ ତୋତେ ମୁଁ ବୁଝାଇ

 

କଣ୍ଠକମଳୁ ଶିଖା ଯାଏ

ସ୍ୱର୍ଗ ବୋଲିଣ ବେଦ କହେ

 

କଣ୍ଠରୁ କଟି ଯାଏ ହୋଇ

ମର୍ତ୍ତ୍ୟ ବୋଲିଣ ବେଦ କହି

 

 

କଟିରୁ ପାଦଯାଏ ଶୁଣ

ପାତାଳବୋଲି ହୋ ଅର୍ଜୁନ

 

ଶୁଣ ତୁ ଦେହର ବିଚାର

ଯେଣୁ ତୋହର କାୟା ସ୍ଥିର

 

ପାତାଳ ବରୁଣ ନଗର

ସମସ୍ତ ନାଗଙ୍କର ରଘର

 

ମର୍ତ୍ତ୍ୟରେ ଯେମନ୍ତ ବ୍ୟବସ୍ଥା

ଶୁଣ ପାଣ୍ଡବ ମହାରଥା ୧୦

 

ଗୁହ୍ୟରେ ଗଣେଶ ଯେ ରହି

ଅସୁର ଗୁରୁ ସେହିଠାଇଁ । ୧୧ ।

 

ଲିଙ୍ଗ ଚକ୍ରରେ ଷଡ଼ାକ୍ଷର

ତହିଁରେ କାମେଶ୍ୱର ଘର ୧୨

 

କାମାକ୍ଷୀ ପକ୍ଷୀ ସେହିଠାରେ

ବସି ଯେ ଅଛି ସେ ସ୍ଥାନରେ ୧୩

 

ଦଶ ଅକ୍ଷର ନାଭି କହି

ବ୍ରହ୍ମା ନଗର ସେ ଅଟଇ ୧୪

 

ଶୁଣୁ ତୁ ହୃଦର ବିଚାର

ବସେ ତହିଁ ଦ୍ୱାଦସାକ୍ଷର ୧୫

 

ଆପଣେ ପ୍ରଭୁ ଦାମୋଦର

ଲକ୍ଷ୍ମୀଙ୍କି ଘେନିଣ କୋଳର ୧୬

 

କଣ୍ଠରେ ଈଶ୍ୱର ରହଇ

ପାର୍ବତୀ ଘେନି ବିହରଇ ୧୭

 

ତହିଁ ଷୋଡ଼ସାକ୍ଷାର ରହେ

ବେନି ଦଳଟି ଆକାଶଏ ୧୮

 

ଚନ୍ଦ୍ର ସୂର୍ଯ୍ୟର ଏ ନଗର

ହଂସ ଭଜୁଛି ବେନିକ୍ଷର ୧୯

 

ତହିଁ ଉପରେ ଅର୍ଦ୍ଧ ମାତ୍ରା

ମାତ୍ରା ଉପରେ ଠୁଳ ଚିତା ୨୦

 

ଠୁଳ ଉପରେ ଶୂନ୍ୟ ରହି

ଶୂନ୍ୟ ଉପରେ ଭାବଗ୍ରାହୀ ୨୧

 

ସେଠାରେ ଜଗତ ଗୋସାଇଁ

ଅଷ୍ଟଦଳଟି ଯହିଁ ରହି ୨୨

 

ତହିଁ ଭିତରେ ଲୀଳା ମୋର

ଶୁଣ ହୋ ପାଣ୍ଡୁର କୁମର ୨୩

 

ଏମନ୍ତେ ଅଟଇ ଅଶେଷ

ମୋର ବିଭୂତି ଲୀଳା ଶେଷ ୨୪

 

କହଇ ବଳରାମ ଦାସ

ସେ ବ୍ରହ୍ମପାଦେ ମୋର ଆଶ ୨୫

 

ଇତି ଶ୍ରୀ ବ୍ରହ୍ମାଣ୍ଡଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନସମ୍ବାଦେ ନାମ ସପ୍ତପଞ୍ଚାଶତୋଽଧ୍ୟାୟଃ ।

 

ଅଷ୍ଟପଞ୍ଚାଶତ୍‌ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ପୁଣି ପଚାରଇ

ଭୋ ନାଥ ଯଦୁ କୁଳସାଇଁ

 

ଆରତଭଞ୍ଜନ ଅଚ୍ୟୁତ

ତୁ ନାଥ ପ୍ରାଣ ପଞ୍ଚଭୂତ

 

ଭୂମିରସଟି କେ ବୋଲାଇ

କେମନ୍ତେ ଆକାଶ ସର୍ଜଇ

 

ରସଙ୍କ ମଧ୍ୟେ ଭୂମିରସ

କେମନ୍ତେ ସର୍ଜଇ ଆକାଶ

 

ଏ ବାକ୍ୟ କହ ଦାମୋଦର

ପୁରାଣ ପୁରୁଷ ଈଶ୍ୱର

 

ଶ୍ରୀ ଭଗବାନୁବାଚ- ଅର୍ଜୁନ ବାକ୍ୟେ ଯଦୁରାଶି

କହନ୍ତି ଅର୍ଜୁନକୁ ହସି

 

 

ହେମାକାଶଂ ମହାକାଶଂ ଠୁଳଶୂନ୍ୟ ଚ ସଂଗ୍ରହଃ

ନର୍ବନ୍ୱୟା ମମ ବ୍ରହ୍ମ ବ୍ୟାପିତଂ ସଚରାଚରଂ

 

ଅର୍ଜୁନ ଶୁଣ ତୁ ସନ୍ଦେଶ

କହିବା ତୋତେ ଭୂମିରସ

 

କ୍ରୟ ବୀଜର ପରେ ହରି

ଠୁଳ ଶୂନ୍ୟରେ ରସ ପୁରି

 

ଭୂମି ରସଟି ଜଳ କହି

ଆଦିତ୍ୟ ଅଷ୍ଟମାସ ଯାଇ ୧୦

 

ତାହାର ଋତୁ ସମୟରେ

ଜଳ ଛାଡ଼ଇ ଏ ସଂସାରେ ୧୧

 

ସେ ଜଳେ ଜଗତଶୀତଳ

କୃଷକେ କୃଷି କରି ଠୁଳ ୧୨

 

ଏଣୁଟି ଜଳ ଭୂମିରସ

ଶୁଣ ସୁମନେ ପାଣ୍ଡୁଶିଷ୍ୟ ୧୩

 

ଦେହକୁ ଭୂମି ବୋଲି କହି

ଜୀବଟି ଭୂମିରସ କହି ୧୪

 

ଆହୁରି ଶୁଣ ତୁ ସନ୍ଦେଶ

କୃଷ୍ଣର ନାମ ଭୂମିରସ ୧୫

 

ମାତାଗର୍ଭରେ ଯେବେ ଥିଲା

ଭୂମି ରସଟି ଖାଉଥିଲା ୧୬

 

କହଇ ବଳରାମ ଦାସ

ଭୂମି ରସରେ ମୋର ଆଶ ୧୭

 

ଇତି ଶ୍ରୀ ବ୍ରହ୍ମାଣ୍ଡଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ୱାଦେ ନାମ ଅଷ୍ଟପଞ୍ଚାଶତୋଽଧ୍ୟାୟଃ ।

 

ଊନଷଷ୍ଠିତମ ଅଧ୍ୟାୟ

 

ଅର୍ଜୁନ ଉବାଚ -ଆରତ ଭଞ୍ଜନ କେଶବ

କହ ହେ ଭକତ ପ୍ରସ୍ତାବ

 

ଆହେ ଗୋବିନ୍ଦ ଦାମୋଦର

ପଦ୍ମନୟନ ଗଦାଧର

 

କୀଟ ପତଙ୍ଗ ଖଗ ମୃଗ

ସତ୍ସେଙ୍ଗେ ହେଲେ ମୋକ୍ଷଯୋଗ

 

କୀଟ ପତଙ୍ଗ କେ ହୋଇଲା

ଖଗ ମୃଗଟି କାହିଁ ଥିଲା

 

କେଉଁ ସ୍ଥାନରେ ସାଧୁଥିଲେ

ଏହାଙ୍କୁ କେମନ୍ତେ ତାରିଲେ

 

ଏ ଅର୍ଥ କହ ଭଗବାନ

ନମସ୍ତେ ଆରତଭଞ୍ଜନ

 

 

ଶ୍ରୀ ଭଗବାନୁବାଚ- ଅର୍ଜୁନ ବାକ୍ୟେ ଜନାର୍ଦ୍ଦନ

କହନ୍ତି ଭୂଗୋଳ ବିଧାନ

 

ଏବେ କହିବି ମୁହିଁ ତୋତେ

ଶୁଣ ତୁ ସାବଧାନ ଚିତ୍ତେ

 

କୀଟ ଯେ ନୟନେ ବସଇ

ପତଙ୍ଗବୋଲି ମୁଖ କହି

 

ଖଗ ତୋ ନାସିକା ପ୍ରମାଣ

ମୃଗ ଯେ ଅଟଇଟି କର୍ଣ୍ଣ ୧୦

 

ସାଧୁ ପୁରୁଷ ଯେ ବୋଲାଇ

ପୁଣି ଅର୍ଜୁନ ଦେବା କହି ୧୧

 

ସେ ଜ୍ୟୋତିବ୍ରହ୍ମ ସାଧୁ ଜାଣ

ଏହାକୁ କରନ୍ତି କାରଣ ୧୨

 

ପ୍ରଳୟ ଯେଉଁଦିନ ହୋନ୍ତି

ଏ ସର୍ବ ଜ୍ୟୋତିରେ ମିଶନ୍ତି ୧୩

 

ଏହାଙ୍କୁ କହି ଶରୀରାର୍ଥ

ଏବେ କହିବା ବାହ୍ୟମତ ୧୪

 

ନାମବ୍ରହ୍ମଟି ସାଧୁ କହି

ସେ ନାମ ଭଜି ସାଧୁ ପାଇ ୧୫

 

ବୃକ୍ଷ ପାଷାଣ ତରୁ ତୃଣ

ଯୁଣନ୍ତେ ହୁଅନ୍ତି କାରଣ ୧୬

 

ଶୁଣି ଅର୍ଜ୍ଜୁନ ହେଲେ ତୋଷ

ଭଣିଲେ ବଳରାମ ଦାସ ୧୭

 

ଇତି ଶ୍ରୀ ବ୍ରହ୍ମାଣ୍ଡଭୂଗୋଳ ବର୍ଣ୍ଣନେହରି ଅର୍ଜୁନ ସମ୍ୱାଦେ ନାମ ଉନଷଷ୍ଠିତମୋଽଧ୍ୟାୟଃ ।

 

ଷଷ୍ଠିତମ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ପୁଣି ପଚାରିଲା

ସଂଶୟ ମନରେ ରହିଲା

 

ଅର୍ଜୁନ ପଚାରଇ ଭେଦ

ଉଦ୍ଧବେ ଦେଲେ ରତ୍ନପାଦ

 

ରତ୍ନପାଦୁକାର ଯେ ଅର୍ଥ

ମୋତେ କହିବା ଜଗନ୍ନାଥ

 

ତେବେ ଏ ସଂସାରୁ ତରିବି

ଏକାନ୍ତେ କୃଷ୍ଣଙ୍କୁ ଲଭିବି

 

ତା’ର ହୃଦୟକଥା ହରି

ଜାଣିଲେ ମୁକୁନ୍ଦ ମୁରାରି

 

ଶ୍ରୀ ଭଗବାନୁବାଚ -

ପାଦପଦ୍ମ ମୁଖପଦ୍ମ ଚକ୍ଷୁ ପଦ୍ମାଞ୍ଚ ସଂସ୍ଥିତା

ହୃଦପଦ୍ମଞ୍ଚ କର୍ଣ୍ଣଂ ତୁ ଷଡ଼୍‌ପଦ୍ମ ସୁପ୍ରକାଶିତାଂ

 

ଶୁଣ ଅର୍ଜୁନ ମନଦେଇ

ଗୁପତ କଥା ତୋତେ କହି

 

ତୁ ଯେଉଁ କଥା ପଚାରିଲୁ

ସଂଶୟ କଥା ଫେଡ଼ିଲୁ

 

ସେ କଥା ଶୁଣ ମନସ୍ଥିରେ

କହିବା ଯୁଗାନ୍ତ ବିସ୍ତାରେ

 

ଉଦ୍ଧବ ପଛେ ଚଳିଯାନ୍ତେ

ଲୋହକୁ ପାଇଲା ସେ ପଥେ ୧୦

 

ଲୋହକୁ ଧରିଥିଲା ଯଡ଼ି

ତମ୍ୱା ପାଆନ୍ତେ ଲୋହ ଛାଡ଼ି ୧୧

 

ତମ୍ୱାକୁ ଧରିଥିଲା ସଙ୍ଗେ

ରୌପ୍ୟ ପାଇଲା ଯାଇ ବେଗେ ୧୨

 

ପୁଣ ସେ ରୌପ୍ୟ ଥିଲା ଧରି

ସୁବର୍ଣ୍ଣ ପାଇ ଦୂର କରି ୧୩

 

ସୁବର୍ଣ୍ଣ ପାଇ ନେଉଥିଲା

ହୀରା ପାଆନ୍ତେ ଛାଡ଼ିଦେଲା ୧୪

 

ହୀରାକୁ ବାଟେ ଛାଡ଼ିଗଲା

ପରଶ ପ୍ରସ୍ତର ପାଇଲା ୧୫

 

ପରଶ ପରମର ପାଦ

ଶୂନ୍ୟ ଶବଦ ଜ୍ୟୋତିଭେଦ ୧୬

 

ରାଆ ଶବଦକୁ ଧଇଲା

ଗ୍ରୀଷ୍ମ ବରଷା ସେ ବଞ୍ଚିଲା ୧୭

 

ରତ୍ନ ଯେ ସୁବର୍ଣ୍ଣକୁ କହି

ସୁବର୍ଣ୍ଣ ଶୂନ୍ୟ ପାଦ ହୋଇ ୧୮

ରାଆଟି ମଅକୁ ଭେଟଇ

ମହାନିରାକାରେ ମଜଇ ୧୯

 

ଉଦ୍ଧବ ଯେଉଁ ପାଦନେଲା

ସେ ପାଦ ଚିତ୍ତେ ମୋ ରହିଲା ୨୦

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡଭୂଗୋଳ ପ୍ରକାଶ ।।୨୧

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ୱାଦେ ନାମ ଷଷ୍ଠିତମୋଽଧ୍ୟାୟଃ ।

 

ଏକଷଷ୍ଠିତମ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଲଇ ଗୋସାଇଁ

ଆହୁରି କଥାଏ ପୁଚ୍ଛଇ

 

ସାର ଉଦ୍ଧରି ଦାମୋଦର

ଉଦ୍ଧବେ ଦେଲେ ସୁଧାଧାର

 

ଏ ଅର୍ଥ କହ ମୋତେ ଫେଇ

ନମସ୍ତେ ପ୍ରଭୁ ଭାବଗ୍ରାହୀ

 

ଶ୍ରୀ ଭଗବାନୁବାଚ - କହନ୍ତି ଭୂଗୋଳ ବିସ୍ତାର

ଅର୍ଜୁନ ବାକ୍ୟେ ଚକ୍ରଧର

 

ମୋ ପାଦପଦ୍ମ କ୍ଷୟ ହୋଇ

ତହିଁରେ ଷଡ଼ପଦ୍ମ ରହି

 

 

ସେ ପାଦପଦ୍ମ ବିନ୍ଦୁ କହି

ସେ ବିନ୍ଦୁ ଅମୃତ କ୍ଷରଇ

 

ସେ ମକରନ୍ଦ ସୁଧାଧାର

ଉଦ୍ଧବେ ପିଇଲେ ନିକର

 

ଯଃ ପଦ୍ମ ମକରନ୍ଦସ୍ୟ ଷଡ଼୍‌ଚକ୍ର ସୁପ୍ରକାଶିତଃ

କ୍ଷୁଧାତୃଷା ଭୟଂ ନାସ୍ତି ମମ ନାମ ପ୍ରକାଶିତଃ

 

ସେ ପଦ୍ମସାର ଧାରା ବହି

ସେ ମକରନ୍ଦ ଧାରା କହି ୧୦

 

ପଦ୍ମରେ ପାଦ ଯୁକ୍ତ ହୋଇ

ଏଣୁଟି କୃଷ୍ଣ ପାଦ କହି ୧୧

 

ଶୁଣ ଅର୍ଜୁନ ଜ୍ଞାନ ସାର

ଏ ଷଟ ପଦ୍ମର ବିଚାର ୧୨

 

 

ବାଳ ମୁକୁନ୍ଦ ରୂପେ ହରି

ସେ ମକରନ୍ଦ ପାନ କରି ୧୩

 

ପ୍ରତାପୀ ବୀର ଶୁଣି ତୋଷ

ଭଣିଲେ ବଳରାମ ଦାସ ୧୪

 

ଇତି ଶ୍ରୀ ବ୍ରହ୍ମାଣ୍ଡଭୂଗୋଳ ବର୍ଣ୍ଣନେ ହରି ଅର୍ଜ୍ଜୁନ ସମ୍ୱାଦେ ନାମ ଏକଷଷ୍ଠିତମୋଽଧ୍ୟାୟଃ ।

 

ଦ୍ୱିଷଷ୍ଠିତମ ଅଧ୍ୟାୟ

 

ଅର୍ଜ୍ଜୁନ ଉବାଚ - ଅର୍ଜ୍ଜୁନ ଶିରେ ଦେଇ କର

ବୋଲଇ ଶୁଣ ଦାମୋଦର

 

ଅଜ୍ଞାନ ମୋହେ ମୁଁ ପଡ଼ିଲି

ତୋ ପଦ୍ମପାଦ ପାଶୋରିଲି

 

ତୋହର ନାମ ନାବେ ବସି

ତରିବି ଘୋର ଜଳରାଶି

 

ଅଜାତ ପକ୍ଷୀର ଚରିତ

କହ ହେ କମଳାର କାନ୍ତ

 

ଅଜାତ ପକ୍ଷୀ କାହିଁଥିଲା

ସେ ପୁଣି ମାତାକୁ ଡାକିଲା

 

ତାହାର ମାତା ପିତା କାହିଁ

ତା’ର ଆହାର କେଉଁଠାଇଁ

 

 

ଏ କଥା କହ ପଦ୍ମନାଭ

ତୋର ଚରଣେ ବଡ଼ ଲାଭ

 

ଶ୍ରୀ ଭଗବାନୁବାଚ – ଅର୍ଜୁନ ବଚନେ ମାଧବ

କହନ୍ତି ଭୂଗୋଳ ପ୍ରସ୍ତାବ

 

ପରମା ମାତୃକା ରାଧା ରାଧାୟାଂ ପ୍ରକୃତି ସ୍ଥିତା

ବ୍ରହ୍ମାଣ୍ଡ କୋଟି ମଣ୍ଡଳାଞ୍ଚ ରାଧା ଅଙ୍ଗ ପ୍ରକାଶିତା

 

ଶୁଣ ଅର୍ଜୁନ ମନଦେଇ

ଗୁପତ ଜ୍ଞାନ ଏ ଅଟଇ ୧୦

 

ଅଜାତ ଶୂନ୍ୟେ ଜାତ ହୋଇ

ଶୂନ୍ୟରେ ଡିମ୍ୱକେ ପାରଇ ୧୧

 

ଡିମ୍ୱ ପାରିଣ ମାତା ଗଲା

ରାଆା ଲୀଳାରେ ଗୁପ୍ତ ହେଲା ୧୨

 

ମାତା ପିତାଙ୍କୁ ସେ ନ ଦେଖି

ଶୂନ୍ୟରେ ରାଆ ନାମ ଡାକି ୧୩

 

ରାଆ ତାହାର ମାତ ହୋଇ

ମଅଟି ବୋଲି ତାକୁ କହି ୧୪

 

ନୀଳଜିମୂତ ଦେହ ତାର

ନିତ୍ୟତତ୍ତ୍ୱରେ ତା’ର ଘର ୧୫

 

ସଖା ତାହାର କେହି ନାହିଁ

ସଖା ତା ପଞ୍ଚଭୂତ ହୋଇ ୧୬

 

ଏମନ୍ତ ମହିମା ଯାହାର

ଶୁଣ ଅର୍ଜୁନ ମହାବୀର ୧୭

 

ରାଆ ଛାଡ଼ି ସେ ମଅରେ ମିଶେ

ମଅଟି ମିଶାଇ ଆକାଶେ ୧୮

 

ପଞ୍ଚଭୂତରେ ଜନ୍ମ ହୋଇ

ପଞ୍ଚଭୂତରେ ଶୂନ୍ୟେ ଯାଇ ୧୯

 

 

ଅଜାତ ପକ୍ଷୀ ଜୀବହୋଇ

ତାହାର ଜନ୍ମ ମୃତ୍ୟୁ ନାହିଁ ୨୦

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡଭୂଗୋଳ ପ୍ରକାଶ ୨୧

 

ଇତି ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ୱାଦେ ନାମ ଦ୍ୱିଷଷ୍ଠିତମଽଧ୍ୟାୟଃ ।

 

ତ୍ରିଷଷ୍ଠିତମ ଅଧ୍ୟାୟ

 

ଅର୍ଜୁନ ଉବାଚ – ଅର୍ଜୁନ ବୋଲଇ ଗୋସାଇଁ

କଥାଏ ପଚାରଇଁ ମୁହିଁ

 

ପୂର୍ବେ ଯେ କପିଳ ନଗରେ

କନ୍ୟାଏ ସୁବର୍ଣ୍ଣ ଆକାରେ

ସେ କନ୍ୟା ବିଧବା ହୋଇଲା

ତା’ ପତି ବସି ଶୋକ କଲା

 

ଏ କଥା କହ ନାଥ ମୋତେ

ସଂଶୟ ଫେଡ଼ି ମୋର ଚିତ୍ତେ

 

ଶ୍ରୀ ଭଗବାନୁବାଚ

ବ୍ରହ୍ମବିନ୍ଦୁ ଶିବମେକଞ୍ଚ ତ୍ରିଅଞ୍ଚ ଯେନ ସମ୍ଭବ

ଆଦିଶକ୍ତି ଭୟଂ ନାସ୍ତି ପାର୍ବତୀପତି ଈଶ୍ୱର

 

ଶୁଣ ଅର୍ଜୁନ ହେତୁ ଦେଇ

କହିବା ଭୂଗୋଳକୁ ଫେଇ

 

ପ୍ରଥମେ ବ୍ରହ୍ମା ବିଷ୍ଣୁ ଶିବ

ନିରାକାର ରୂପେ ସମ୍ଭବ

 

ପ୍ରଥମେ ଜଳଧି ମନ୍ଥିଲେ

ସେଠାରୁ ବିଷ ଜାତ ହେଲେ

 

ଶିବ ଭକ୍ଷିଣ ମୋହଗଲେ

ତା ଦେଖି ପାର୍ବତୀ କାନ୍ଦିଲେ

 

କାନ୍ଦିଣ କଙ୍କଣ କାଢ଼ିଲେ

ବିଧବା ଅବସ୍ଥା ହୋଇଲେ ୧୦

 

ତକ୍ଷଣେ ଶିବ ଚେତା ପାଇ

ରୋଦନ କଲେ ଦେବ ସାଇଁ ୧୧

 

ଏ ପରମାର୍ଥ ବିଚାର

କହିବା ଶରୀରାର୍ଥ ସାର ୧୨

 

କପିଳ ନଗ୍ର ଦେହ ଜାଣ

କଳ୍ପନା କନ୍ୟାଟି ପ୍ରମାଣ ୧୩

 

ଯହୁଁ ପ୍ରଳୟ କାଳହେଲା

ଜୀବ ଶରୀରୁ ଛାଡ଼ିଗଲା ୧୪

 

ଛାଡ଼ନ୍ତେ ଏ ଜୀବ ପରମ

ଦେହ ହୋଇଲା ସର୍ବ ଶୂନ୍ୟ ୧୫

 

ଜୀବ ଯେ ଛାଡ଼ିଲା ତକ୍ଷଣ

ପରମ କରଇ ରୋଦନ ୧୬

 

କଳ୍ପନା ଚକ୍ଷୁରେ ଯେ ଥିଲା

ଲୋତକ ଧାରା ସେ ବହିଲା ୧୭

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ ୧୮

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ୱାଦେ ନାମ ତ୍ରିଷଷ୍ଠିତମୋଽଧ୍ୟାୟଃ ।

 

Unknown

ଚତୁଃଷଷ୍ଠତମ ଅଧ୍ୟାୟ

 

ଅର୍ଜୁନ ଉବାଚ – ଅର୍ଜୁନ ବୋଇଲେ ବଚନ

ଶୁଣ ହେ ପ୍ରଭୁ ଭଗବାନ

 

ଶ୍ରୀ ଭାଗବତ ସ୍କନ୍ଧ ହେଲା

ମହା ପୁରାଣ ବୋଲାଇଲା

 

ଏ ଅର୍ଥ ଫେଡ଼ି ମୋତେ କହ

ମନରୁ ଫେଡ଼ ମୋ ସଂଶୟ

 

ଶ୍ରୀଭଗବାନୁବାଚ - ଶୁଣ ଅର୍ଜୁନ ତୋଷହୋଇ ।।

ତୋତେ ମୁଁ ଦେଉଅଛି କହି

 

ମାତାର ପଦ ଗୋଟି ଥିଲା

ତହିଁରେ ବିନ୍ଦୁ ପୂରାଇଲା

 

ମହା ପୂରାଣ ତହୁଁ ହୋଇ

ବ୍ରହ୍ମାଣ୍ଡ ଭୂଗୋଳରେ କହି

 

ଭଣଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ୱାଦେ ନାମ ଚତୁଷଷ୍ଠିତମୋଽଧ୍ୟାୟଃ ।

 

ପଞ୍ଚଷଷ୍ଠିତମ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଲେ ଭଗବାନ

ମୁଁ ତୁମ୍ଭ ଚରଣେ ଶରଣ

 

କୌସ୍ତୁଭମଣି ଜେହ୍ନେ ହେଲା

ଉଦ୍ଧବେ କାହୁଁ ଆଣିଦେଲା

 

ଶ୍ରୀ ଭଗବାନୁବାଚ - ଅର୍ଜୁନ ବାକ୍ୟେ ଚକ୍ରଧର

କହନ୍ତି ଭୂଗୋଳ ବିସ୍ତାର

 

ଉଦ୍ଧବ ଏକଦିନକରେ

ବନେ ପଶିଲା ମୃଗୟାରେ

 

ବୁଲଇ ଗହନ କାନନ

ପଡ଼ିଛି କୌସ୍ତୁଭ ରାଜନ

 

କଣ୍ଠଠାରୁ ତାହାର ନାହିଁ

ମୁଣ୍ଡ ତା ରାମ ନାମ ଗାଇ

 

 

ଉଦ୍ଧବ ମୃଗପ୍ରାୟ ମଣି

ବାଣ ବିନ୍ଧିଲା ଗୁଣଟାଣି

 

ସେ ବାଣ ବେଗେ ଚଳିଗଲା

ପଡ଼ିଛି ମୁଣ୍ଡକୁ ଦେଖିଲା

 

ତକ୍ଷଣେ ବାହୁଡ଼ିଲାବାଣ

କହେ ଉଦ୍ଧବକୁ ବଚନ

 

ମୃଗ ଶୂକର ନୁହେଁ କିଛି

ମୁଣ୍ଡ ଗୋଟିଏ ପଡ଼ିଅଛି ୧୦

 

ରାମନାମ ସେ ମୁଣ୍ଡ ଡାକି

ଉଦ୍ଧବ ମୁଣ୍ଡକୁ ନିରେଖି ୧୧

 

ତକ୍ଷଣେ ମୁଣ୍ଡକୁ ଧଇଲା

ସୁବର୍ଣ୍ଣସୂତ୍ରରେ ଗୃନ୍ଥିଲା ୧୨

 

ସେ ମୁଣ୍ଡ କଉସ୍ତୁଭ ମଣି

ଆମ୍ଭ ଗଳାରେ ଲମ୍ବେ ପୁଣି ୧୩

 

ସେ ମଣିଥିଲେ କ୍ଷୁଧା ତୃଷା

ନିରକାର ଭବନେ ବସା ୧୪

ମଣି ଦର୍ଶନେ ମୋର ଆଶ

ଭଣିଲେ ବଳରାମ ଦାସ ୧୫

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ପଞ୍ଚଷଷ୍ଠିତମୋଽଧ୍ୟାୟଃ ।

 

ଷଟ୍‌ଷଷ୍ଠି ତମ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ହୋଇ କୃତକୃତ

ତୁମ୍ଭ ଗଳାରେ ସେ ଲମ୍ବିତ

 

କାହାକୁ ବୈଜୟନ୍ତି କହି

ପୁଚ୍ଛଇ କୃଷ୍ଣମୁଖ ଚାହିଁ

 

ସେ ମାଳା ଯେତେକ ଚରିତ

ତୁମ୍ଭ ଗଳାରେ ସେ ଲମ୍ବିତ

 

ଶ୍ରୀ ଭଗବାନୁବାଚ - ଶୁଣ ଅର୍ଜୁନ ମନଦେଇ

ଗୋଲକପୁରେ ନିତ୍ୟରହି

ବିରାଟ ନିଜସ୍ଥାନ ସେହି

ନିତ୍ୟେ ତହିଁ ରେ ବିଶ୍ରାମଇ

 

ବିରାଟ ଶରୀର ବିସ୍ତାର

ଚଉଦ ମାଳା ତା’ ଗଳାର

 

 

ଆମ୍ଭେ ତା’ଠାରୁ ତହୁଁ ଜାତ

ସେ ନିରାକାର ଆମ୍ଭତାତ

 

ତହିଁ ଯେତେକ ସଖୀଛନ୍ତି

ବବଜୟନ୍ତୀ ସେ ଅଟନ୍ତି

 

ଜାତ କରିବା ବେଳେ ସେହି

ତାଙ୍କ ଗଳାରୁ ମାଳା ଦେଇ

 

ଶୂନ୍ୟରେ ବିନ୍ଦୁ ଯେ ଗଳିଲା

ରାଆ ଶବ୍ଦରେ ସେ ମିଶିଲା ୧୦

 

ରାଆ ନାମଟି ମାଳାହୋଇ

ସେ ମାଳା ଜଗତେ ସର୍ଜ୍ଜଇ ୧୧

 

ଶୁଣି ଅର୍ଜୁନ ହେଲେ ତୋଷ

ଭଣିଲେ ବଳରାମ ଦାସ ୧୨

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଷଟ୍‌ଷଷ୍ଠିତମୋଽଧ୍ୟାୟଃ ।

 

ସପ୍ତଷଷ୍ଠିତମ ଅଧ୍ୟାୟ

 

ଅର୍ଜୁନ ଉବାଚ - ପୁଣି ଅର୍ଜୁନ ବିନୟରେ

ପଡ଼ଇ କୃଷ୍ଣର ପୟରେ

 

ଯେ ପୂର୍ବକାଳେ ଅବତାରେ

ଧଇଲେ ଶୂକର ରୂପରେ

 

ପୃଥିବୀ ଦନ୍ତରେ ଧଇଲେ

କାହା ଉପରେ ଉଭା ହେଲେ

 

ଏ ବାକ୍ୟ କହ ଦାମୋଦର

ପୃଥିବୀ ତୋ ଦନ୍ତେ ସୁନ୍ଦର

 

ଶ୍ରୀ ଭଗବାନୁବାଚ - ଶୁଣ ଅର୍ଜୁନ ମନ ଦେଇ

କହିବା ଭୂଗୋଳକୁ ଫେଇ

 

ଯେ କାଳେ ଶୂକର ଶରୀର

ପୃଥିବୀ ଦନ୍ତେ ସେ ସୁନ୍ଦର

 

 

ଶିଶିର ଦୁର୍ବା ଆଶ୍ରେ ଯେହ୍ନେ

ମୋହର ରୂପ ଅଟେ ତେହ୍ନେ

 

ନୀଳବର୍ଣ୍ଣଟି ଅଟେ ଦେହେ

ମୋ ରୂପ ତେହ୍ନେ ଶୋଭାପାଏ

 

ଶିଶିର ଟୋପାର ଆକାର

ବ୍ରହ୍ମାଣ୍ଡ ମୋ ଦନ୍ତ ଶିଖର

 

ଅନନ୍ତ ଆସନ ଉପରେ

ଉଭା ମୁଁ ହୋଇଲି ନିଶ୍ଚଳେ ୧୦

 

ସକଳ ମୋହର ସଂସାର

ଅନନ୍ତ ମୋର ଗର୍ଭଧର ୧୧

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ ୧୨

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନସମ୍ବାଦେ ନାମ ସପ୍ତଷଷ୍ଠିତମୋଽଧ୍ୟାୟଃ ।


 

ଅଷ୍ଟଷଷ୍ଠିତମ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ମନେ ବିଚାରଇ

ସଂଶୟ ଫେଡ଼ି ପଚାରଇ

 

ହେ ପ୍ରଭୁ ତୁମ୍ଭର ପୟର

ଲମ୍ବ ହୋଇଛି କେଉଁଠାର

ସେ କଥା କହିବା ବିସ୍ତାରି

କୁକର୍ମମାନ ଦୂର କରି

 

ଶ୍ରୀ ଭଗବାନୁବାଚ - ଜାଣିଲେ ପ୍ରଭୁ ଚକ୍ରଧର

କହିଲେ ଶ୍ରୀରଙ୍ଗ ଅଧର

 

ବୋଇଲେ ଶୁଣ କୁନ୍ତୀସୁତ

ଶୁଣିଲ ହୃଦୟ ବାରତ

 

ମନରେ ଭୟ ତୁ ନ କଲୁ

ସଂଶୟ ଫେଡ଼ି ତୁ ପୁଚ୍ଛିଲୁ

 

 

ବୋଇଲୁ ତୁମ୍ଭର ପୟର

ଲମ୍ବ ହୋଇଛି କେଉଁଠାର

 

ସେକଥା କହିବା ବିଚାରି

କୁକର୍ମମାନ ଦୂରକରି

 

ଯେ କାଳେ ବାମନ ମୁରତି

ନାଭିରୁ ପାଦ ଉତପତି

 

ସେ ପାଦ ଆକାଶକୁ ଗଲା

ବ୍ରହ୍ମା ଯେ ଗଙ୍ଗାକୁ ଢାଳିଲା ୧୦

 

ସେ ଗଙ୍ଗା ନଖ କୋଣେ ରହି

ତେଣୁ ମୋ ପାଦ ଲମ୍ବ ହୋଇ ୧୧

 

ଗୁପତ ବ୍ରହ୍ମା ଏ ବୋଲାଇ

ତିନି ଚରଣ ମୋର ହୋଇ ୧୨

 

ରାଆ ପାଦଟି ଏ ମୋହର

ମଅ ପଦଟି ଯେ ଭିତର ୧୩

 

ଶୂନ୍ୟରୁ ବିନ୍ଦୁ ଯେ ଖସିଲା

ସେହିଟି ଲମ୍ବ ପାଦ ହେଲା ୧୪

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ ୧୫

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରିଅର୍ଜୁନ ସମ୍ବାଦେ ନାମ ଅଷ୍ଟଷଷ୍ଠିତମୋଽଧ୍ୟାୟଃ ।

 

ଊନସପ୍ତତିତମ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଲଇ ଗୋସାଇଁ

କଥାଏ ପଚାରିବି ମୁହିଁ

 

ପୁଣ୍ୟ କରିବି ପୁଣ୍ୟ କାଳେ

ନିଷେଧ ନ କରିବ ଢାଳେ

 

ପୁଣ୍ୟକାଳଟି କେ ଅଟଇ

ନିଷେଧ କେହ୍ନେ ନ କରଇ

 

ଏ ଜ୍ଞାନ କହ ଦଇତାରି

ଶୁଣିଲେ ଯିବି ମୁଁ ନିସ୍ତରି

 

ଶ୍ରୀ ଭଗବାନୁବାଚ - ଅର୍ଜୁନ ବଚନେ ମାଧବ

କହନ୍ତି ଭୂଗୋଳ ପ୍ରସ୍ତାବ

 

ସ୍ତିରୀଙ୍କ ରଜୋବତୀ କାଳେ

ପୁଣ୍ୟ କରିବ ସେହି ବେଳେ

 

 

ଅନ୍ୟ ଦିବସେ ନଛୁଇଁବ

ବ୍ରହ୍ମବଧ ଦୋଷଲଭିବ

 

ସେ ପୁଣ୍ୟକାଳେ ପୁଣ୍ୟକଲେ

ତହୁଁ ପୁରୁଷ ହୁଏ ଭଲେ

 

ଅନ୍ୟ ଦିବସେ ବ୍ୟର୍ଥ ଯାଇ

ତେଣୁ ଯେ ପାତକ ହୁଅଇ

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ ୧୦

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଊନସପ୍ତତିତମୋଽଧ୍ୟାୟଃ ।

 

ସପ୍ତତିତମ ଅଧ୍ୟାୟ

 

ଅର୍ଜୁନ ଉବାଚ – ଶୁଣି ଅର୍ଜୁନ ପଚାରଇ

କହ ହେ ବ୍ରହ୍ମାଣ୍ଡ ଗୋସାଇଁ

 

ଶଶାଙ୍କ ମୁଣ୍ଡେ ଶୃଙ୍ଗଜାତ

ବନ୍ଧ୍ୟା ଯେ ପ୍ରସବିଲା ସୁତ

 

ଏ ଅର୍ଥ କହ ମୋତେ ଫେଇ

ନମସ୍ତେ କମଳାର ସାଇଁ

 

ବନ୍ଧ୍ୟାଟି କେହୁ ବୋଲାଇଲା

ସୁତ କେମନ୍ତେ ପ୍ରସବିଲା

ଶ୍ରୀ ଭଗବାନୁବାଚ - ଶଶାଙ୍କ ବୋଲି ଯାହା କହି

ଜ୍ୟୋତି ରୂପଟି ସେ ବୋଲାଇ

 

ତ୍ରିକୂଟ ପରେ ଜ୍ୟୋତି ଥାଇ

ଶଶାଙ୍କ ଶୃଙ୍ଗ ସେ ବୋଲାଇ

 

 

ଚକ୍ଷୁ ଉପରେ ବିଜେ କରି

ସେହିଟି ବନ୍ଧ୍ୟାରୂପ ଧରି

 

ଜନ୍ମ ମରଣ ତା’ର ନାହିଁ

ସ୍ତିରୀ ପୁରୁଷ ସେ ନୁହଇଁ

 

ପରମ ପୁର ବୋଲି ଜାଣ

ବ୍ରହ୍ମାଣ୍ଡ କରଇ ଭିଆଣ

 

କେବଳ ଥାଇ ଜନ୍ମ ନାହିଁ

ଏଣୁଟି ବନ୍ଧ୍ୟା ବୋଲି କହି ୧୦

କହଇ ବଳରାମ ଦାସ

ସୁଜନେ ନ ଘେନିବ ଦୋଷ ୧୧

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ସପ୍ତତିତମୋଽଧ୍ୟାୟ ।

 

ଏକସପ୍ତତିତମ ଅଧ୍ୟାୟ

 

ଅର୍ଜ୍ଜୁନ ଉବାଚ –ଅର୍ଜୁନ ବିନୟ ବଚନେ

କହଇ କୃଷ୍ଣ ସନ୍ନିଧାନେ

 

କଥାଏ ପଚାରିବି ତହିଁ

ଫେଡ଼ିବ ସଂଶୟ ଗୋସାଇଁ

 

କର୍ମ ସରିଲେ ଫଳ କ୍ଷୟେ

ଲବଧ କ୍ଳେଶ ମାତ୍ର ରହେ

 

ଏ ଅର୍ଥ କହ ଭଗବାନ

ନମଇଁ ତୁମ୍ଭର ଚରଣ

 

ଶ୍ରୀ ଭଗବାନୁବାଚ - ଅର୍ଜୁନ ବାକ୍ୟେ ଦାମୋଦର

କହନ୍ତି ଭୂଗୋଳ ବିସ୍ତାର

 

ଶୁଣ ଅର୍ଜୁନ ମନ ଦେଇ

ବ୍ରହ୍ମାଣ୍ଡ-ଭୂଗୋଳ କହଇ

 

ଜୀବକୁ କର୍ମବୋଲି କହି

ତାହା ସରିଲେ ଫଳ ନାହିଁ

 

ଜୀବ ପରମ ଫଳ ହୋଇ

କର୍ମ ସରିଲେ ନାଶ ଯାଇ

 

କ୍ଳେଶ ବୋଲନ୍ତେ ଦେହ କହି

ଏ ଦେହ ମାଟିରେ ମିଶଇ

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ-ଭୂଗୋଳ ପ୍ରକାଶ ୧୦

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଏକସପ୍ତତିତମୋଽଧ୍ୟାୟଃ ।

 

ଦ୍ୱିସପ୍ତତିତମ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବିନୟ ଭାବରେ

ପଡ଼ଇ କୃଷ୍ଣର ପୟରେ

 

କଥାଏ ପଚାରିବି ମୁହିଁ

ଫେଡ଼ିବ ସଂଶୟ ଗୋସାଇଁ

ଏକଇ ବୃକ୍ଷେ ହଂସ ଦୁଇ

ବସନ୍ତି ପ୍ରିୟଭାବ ବହି

 

ବୃକ୍ଷର ଫଳ ଯେ ଭୁଞ୍ଜିଲା

କେମନ୍ତେ ଜଳରେ ପଡ଼ିଲା

 

ଏ କଥା କହ ଦଇତାରି

ନମସ୍ତେ ମୁକୁନ୍ଦ ମୁରାରି

 

ଶ୍ରୀ ଭଗବାନୁବାଚ - ଭୃତ୍ୟ ବଚନେ ଚକ୍ରଧର

କହନ୍ତି ଭୂଗୋଳ ବିଚାର

 

ଦେହକୁ ବୃକ୍ଷ ବୋଲି ଜାଣ

ଜୀବ ପରମ ଦୁଇ ପୁଣ

 

ଏ ବୃକ୍ଷେ ବେନି ପକ୍ଷୀ ଥାନ୍ତି

ଏକ ଆରେକ ନ ଦେଖନ୍ତି

ପାପ ଫଳଟି ଯେ ଅଟଇ

ଜୀବ ତା’ ଅବଶ୍ୟ ଭୁଞ୍ଜଇ

 

ପରମ ଥାଇ ସାକ୍ଷୀ ରୂପେ

ଉଦାସୀ ମତେ ସର୍ବେ ଦେଖେ ୧୦

 

ଜୀବଟି ପାପଫଳ ପାଇ

ମାୟାଜାଲରେ ସେ ପଡ଼ଇ ୧୧

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ ୧୨

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜ୍ଜୁନ ସମ୍ବାଦେ ନାମ ଦ୍ୱିସପ୍ତତିତମୋଽଧ୍ୟାୟଃ ।

 

ତ୍ରିସପ୍ତତିତମୋଽଧ୍ୟାୟ

 

ଅର୍ଜୁନ ଉବାଚ - ବୋଲେ ଅର୍ଜୁନ ଶୁଣ ହରି

କହିବା ଭୂଗୋଳ ବିସ୍ତାରି

 

ଯଦୁ ରାଜନ ଅବଧୂତ

ଏ ବେନି ଜନଙ୍କ ଚରିତ

ଯଦୁ ରାଜନ କେହୁ ପୁଣ

ଅବଧୂତଟି କେ ପ୍ରମାଣ

 

ଏ ଜ୍ଞାନ କହ ନାରାୟଣ

ନମସ୍ତେ କମଳ ଲୋଚନ

ଶ୍ରୀ ଭଗବାନୁବାଚ ଶୁଣ ଭକତ ସାମରଥା

କହିବା ତୋତେ ତତ୍ତ୍ୱ କଥା

 

ଯଦୁରାଜନ ଜୀବ ହୋଇ

ପରମ ଅବଧୂତ କହି

 

 

ମୀନଟି ଜୀବ ବୋଲି ଜାଣ

ଚୈତନ୍ୟ ପରମ କାରଣ

 

ଚୈତନ୍ୟ ମନକୁ ଯେ କହି

ଶୁଣ ହେ ଯୁଧିଷ୍ଠିର ଭାଇ

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ

 

ଇତି ଶ୍ରୀ ବ୍ରହ୍ମାଣ୍ଡଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ତ୍ରିସପ୍ତତିତମୋଽଧ୍ୟାୟଃ ।

 

ଚତୁଃସପ୍ତତିତମୋଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଲେ ଭଗବାନ

ମୁଁ ତୁମ୍ଭ ଚରଣେ ଶରଣ

 

ଯାବତ ଚନ୍ଦ୍ର ସୂର୍ଯ୍ୟ ଦିଶେ

ତାବତ ଏ ବୃକ୍ଷ ପ୍ରକାଶେ

ଏ ଅର୍ଥ କହ ଭଗବାନ

ତୋ ପାଦ ଜଗତ କାରଣ

 

ଶ୍ରୀ ଭଗବାନୁବାଚ - କହନ୍ତି କମଳାର ବର

ଶୁଣ ହେ ଭକତ ମୋହର ।।

ରଜଟି ଚନ୍ଦ୍ର ବୋଲି କହି

ସୂର୍ଯ୍ୟ ରୂପଟି ବିନ୍ଦୁ ହୋଇ

 

ରଜରେ ବୀଜ ଯୁକ୍ତ ହେଲା

ଏଣୁ ସେ ବୃକ୍ଷ ପ୍ରକାଶିଲା

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଚତୁଃସପ୍ତତିତମୋଽଧ୍ୟାୟଃ ।

 

ପଞ୍ଚସପ୍ତତିତମ ଅଧ୍ୟାୟ

 

ଅର୍ଜୁନ ଉବାଚ - ପୁଣି ପଚାରଇ ଅର୍ଜୁନ

ଭୋ ନାଥ ଆରତ ଭଞ୍ଜନ

 

ସେ ଦେଶେ କୃଷ୍ଣ ମୃଗ ସାର

ନ ଦେଖି ବିଷ୍ଣୁ ଭକ୍ତ ନର

ସେ ଦେଶ ପତିତ ହୋଇଲା

ସଂଶୟ ଫେଡ଼ି ନନ୍ଦ ବଳା

 

ପତିତ ଦେଶ କେ ବୋଲାଇ

କୃଷ୍ଣ - ମୃଗଟି କେ ଅଟଇ

 

ଏ ଜ୍ଞାନ କହ ଫଡ଼ିକରି

ଶୁଣି ମୁଁ ଜ୍ଞାନେ ଯିବି ତରି

 

ଶ୍ରୀ ଭଗବାନୁବାଚ - ବୋଲନ୍ତି ଜଗତ ଜୀବନ

ଶୁଣ ଭକତ ଦେଇ ମନ

 

 

ଦେଶ ଯେ ମାତା ପଦ୍ମ କହି

କୃଷ୍ଣ ପକ୍ଷଟି ସେ ବୋଲାଇ

 

ତହିଁର ସଙ୍ଗ ଯେ କରଇ

ତାହାକୁ ପତିତଟି କହି

 

ଯହୁଁ ପଦ୍ମରେ ରୁହାଇଲା

ସେ ଦେଶ ପତିତ ହୋଇଲା

 

ସେ ଦିନ ପଦ୍ମଫୁଟି ଥାଇ

ଶୁକ୍ଳପକ୍ଷଟି ସେ ବୋଲାଇ ୧୦

 

ସେ ଦିନ ରତି ଯେବେ କରି

ସେ ଦେଶେ ସୁକର୍ମ ଆଚରି ୧୧

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ-ଭୂଗୋଳ ପ୍ରକାଶ ୧୨

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବୋଦେ ନାମ ପଞ୍ଚସପ୍ତତିତମୋଽଧ୍ୟାୟଃ ।

 

ଷଡ଼ସପ୍ତତିତମୋ ଅଧ୍ୟାୟ

 

ଅର୍ଜୁନ ଉବାଚ -ଅର୍ଜୁନବୋଲଇ ଗୋସାଇଁ

କଥାଏ ମନେ ପଡ଼ିଲଇଁ

 

ଗ୍ରହଣେ ରବି ଚନ୍ଦ୍ର ଯେବେ

ସର୍ବେ ପବିତ୍ର ହୋନ୍ତି ତେବେ

 

ଏ ଅର୍ଥ କହ ଭଗବାନ

ନମଇଁ ତୁମ୍ଭର ଚରଣ

 

ଶ୍ରୀ ଭଗବାନୁବାଚ - କହନ୍ତି ପ୍ରଭୁ ଭାବଗ୍ରାହୀ

ମାତାର ପଦ୍ମ ଫୁଟିଥାଇ

 

ଗ୍ରହଣ କାଳ ଯେ ଅଟଇ

ଶୁଣ ଅର୍ଜୁନ ମନ ଦେଇ

 

ଚନ୍ଦ୍ର ଯେ ମାତା ରଜ ହେଲା

ବୀଜ ଅଗଟି ସୂର୍ଯ୍ୟ କଲା

 

 

ରଜ ବୀଜର ଯୁକ୍ତ ହେଲା

ସର୍ବ ପବିତ୍ର ତେଣୁ କଲା

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଷଡ଼ସପ୍ତତିତମୋଽଧ୍ୟାୟଃ ।

 

ସପ୍ତସପ୍ତତିତମ ଅଧ୍ୟାୟ

 

ଅର୍ଜୁନ ଉବାଚ - ଅର୍ଜୁନ ବୋଲଇ ଗୋସାଇଁ

କଥାଏ ପଚାରିବି ମୁହିଁ

 

ବାମ ପାରୁଶେ ଗୁରୁ ଥାଇ

ଦକ୍ଷିଣେ ଆଚାର୍ଯ୍ୟ ବସଇ

 

ଏ ବେନି କରି ନମସ୍କାର

ଗଙ୍ଗା ଯମୁନା ଗଣେଶ୍ୱର

 

ଗଙ୍ଗା ଯମୁନା କେ ବୋଲାଇ

ଗଣେଶ୍ୱରଟି କେ ହୁଅଇ

 

କେମନ୍ତେ କରି ନମସ୍କାର

କହ ହେ କମଳାର ବର

 

ଗୁରୁ ଯେ କେ ପୁଣ ଅଟନ୍ତି

ଆଚାର୍ଯ୍ୟ କେ ଅବା ହୁଅନ୍ତି

 

 

ନିଶ୍ଚୟ କରି କହ ଫେଡ଼ି

ନମସ୍ତେ ମୁକୁନ୍ଦ ମୁରାରି

 

ଶ୍ରୀ ଭଗବାନୁବାଚ – ଶୁଣ ଅର୍ଜୁନଦେଇ ଚିତ୍ତ

ତୋତେ କହିବା ଜ୍ଞାନ ତତ୍ତ୍ୱ

 

ବାମ ନାସିକା ଗୁରୁ କହି

ଯମୁନା ଧାର ସେ ବୋଲାଇ

 

ଦକ୍ଷିଣ ନାସାଟି ଆଚାର୍ଯ୍ୟ

ଗଙ୍ଗାଧାରଟି ସେହି ହେଜ ୧୦

 

ଏବେନି ମଧ୍ୟେ ଗଣେଶ୍ୱର

ଏମନ୍ତେ ହେଲା ତିନିଧାର ୧୧

 

ଏ ତିନି ପବନକୁ ଧର

ଶୂନ୍ୟ ଗୁମ୍ପାରେ ନେଇ ଭର ୧୨

 

ଯେଣୁ ଉଲଟ ବୁହାଇଲା ।।

ଏଣୁଟି ନମସ୍କାର କଲା ୧୩

 

ସୋମ ମଙ୍ଗଳ ସଙ୍ଗ କହି

ପବନଦୁର୍ବାଙ୍କୁର ହୋଇ ୧୪

 

କହଇ ବଳରାମ ଦାସ

ସେ ଦୁର୍ବାଙ୍କରେ ମୋର ଆଶ ୧୫

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରିଅର୍ଜୁନ ସମ୍ବାଦେ ନାମ ସପ୍ତତିତମୋଽଧ୍ୟାୟଃ ।

 

ଅଷ୍ଟସପ୍ତତିତମ ଅଧ୍ୟାୟ

 

ଅର୍ଜୁନ ଉବାଚ - ପୁଣି ଅର୍ଜୁନ ପଚାରଇ

କହ ହେ ବ୍ରହ୍ମାଣ୍ଡ ଗୋସାଇଁ

 

ଆତ୍ମାକୁ ଆତ୍ମା ଯେବେ ସ୍ମରେ

ପରମାନନ୍ଦେ ସେ ବିହରେ

 

ଏ ଜ୍ଞାନ କହ ମୋତେ ଫେଇ

ନମସ୍ତେ ପ୍ରଭୁ ଭାବଗ୍ରାହୀ

 

ଶ୍ରୀଭଗବାନୁବାଚ - ଶୁଣ ଅର୍ଜୁନ ବୀରମଣି

ତୋତେ କହିବା ଜ୍ଞାନ ବାଣୀ

 

ଆତ୍ମା ଯେ ମାତା ରଜ କହି

ଆରେକ ଆତ୍ମା ବୀଜ ହୋଇ

 

ରଜରେ ବୀଜ ଯୁକ୍ତ ହେଲା

ଆତ୍ମାକୁ ଆତ୍ମା ଯେ ସ୍ମରିଲା

 

 

ରଜ ବୀଜଙ୍କ ମଧ୍ୟେ ଯାଇ

ପରମଆତ୍ମା ବିହରଇ

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନସମ୍ବାଦେ ନାମ ଅଷ୍ଟସପ୍ତତିତମୋଽଧ୍ୟାୟଃ ।

 

ଊନଶୀତିତମୋଽଧ୍ୟାୟ

 

ଅର୍ଜୁନ ଉବାଚ - ପୁଣି ଅର୍ଜୁନ ପଚାରଇ

ଶୁଣ ହେ କମଳାର ସାଇଁ

 

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ

ପଦୁ ଗଳୁଛି ମକରନ୍ଦ

 

ସେ ମକରନ୍ଦ ପାନ କରି

ଭବୁ ଭକତେ ଗଲେ ତରି

 

ଗୋବିନ୍ଦ ଧାର କେ ହୋଇଲା

ପାଦରୁ କେମନ୍ତେ ଗଳିଲା

 

ତାହା ଭକତେ ପାନକରି

କେମନ୍ତେ ଗଲେ ଭବୁ ତରି

 

ଏ ଜ୍ଞାନ ଫେଡ଼ି କହ ହରି

ଶୁଣିଲେ ଯିବି ମୁଁ ନିସ୍ତରି

 

 

ଶ୍ରୀ ଭଗବାନୁବାଚ - ଶୁଣ ଅର୍ଜୁନ ବୀରବର

କହିବା ବ୍ରହ୍ମାଣ୍ଡ ଭୂଗୋଳ

ଗୋବିନ୍ଦ ପାଦୁ ଯେ ବହିଲା

ପଦ୍ମରେ ଯାଇ ବିଶ୍ରାମିଲା

ତହିଁରେ ପୁରୁଷେ ସର୍ଜଇ

ଗିରିଶିଖର ପରେ ଥାଇ

ଯେ ବାଟେ ବିନ୍ଦୁ ଯେ ପଡ଼ଇ

ଏ ଜୀବ ଧ୍ୟାନ କରିଥାଇ ୧୦

ଅଲେଖ ଜ୍ୟୋତି ବ୍ରହ୍ମପଦ

ତହିଁରୁ ଗଳେ ମକରନ୍ଦ ୧୧

ପଦ୍ମରେ ଥାଇ ପାନ କଲା

ଭବରୁ ଉଦ୍ଧାର ହୋଇଲା ୧୨

ଶୁଣି ଅର୍ଜୁନ ହେଲେ ତୋଷ

ଭଣିଲେ ବଳରାମ ଦାସ ୧୩

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଊନଶୀତିତମୋଽଧ୍ୟାୟଃ ।

 

ଅଶୀତିତମ ଅଧ୍ୟାୟ

 

ଅର୍ଜୁନ ଉବାଚ – ଅର୍ଜୁନ ପଡ଼ଇ ପୟରେ

ପଚାରେ ଆକୁଳ ଭାବରେ

 

ଗୋବିନ୍ଦ କମଳ ଲୋଚନ

ଏ ଅର୍ଥ କହ ଭଗବାନ

 

କମଳ ଲୋଚନ ତୁମ୍ଭର

କେମନ୍ତେ ହେଲା ଚକ୍ରଧର

 

ଏ ଜ୍ଞାନ ଫେଡ଼ି ମୋତେ କହ

ମନରୁ ଫିଟାଅ ସନ୍ଦେହ

 

ଶ୍ରୀ ଭଗବାନୁବାଚ - କହନ୍ତି କମଳ ଲୋଚନ

ଏହା ତୁ ଗଣ୍ଠି କରି ଘେନ

 

ପଦ୍ମ କମଳ ଫୁଟିଥିଲା

ତହିଁରେ ବିନ୍ଦୁ ଯେ ପଡ଼ିଲା

 

 

ରଜୋ ବୀଜଙ୍କ ମଧ୍ୟେ ମୁହିଁ

ଜ୍ୟୋତି ରୂପରେ ପ୍ରକାଶଇ

 

କମଳଲୋଚନ ମୋ ନାମ

ତେଣୁହୋଇଲ ହୋ ଅର୍ଜୁନ

 

ଶୁଣି ଅର୍ଜ୍ଜୁନ ହେଲେ ତୋଷ

ଭଣିଲେ ବଳରାମ ଦାସ

 

ଇତିଶ୍ରୀବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଅଶୀତିତମୋଽଧ୍ୟାୟଃ ।

 

ଏକାଶୀତିତମ ଅଧ୍ୟାୟ

 

ଅର୍ଜୁନ ଉବାଚ – ଅର୍ଜୁନ ମନେ ହେତୁ କରି

ପଚାରେ କୃଷ୍ଣ ପାଦଧରି

 

ଅଶ୍ୱତ୍ଥ ତରୁମୂଳେ ବସି

ନିଜ ମହିମା ପରକାଶି

 

ଏକଥା ସଂଶୟ ମୋହର

ପଚାରୁ ଅଛି ଚକ୍ରଧର

 

ଶ୍ରୀ ଭଗବାନୁବାଚ - ଏ ଜ୍ଞାନ ନ କହିବୁ କାହିଁ

ମୋହର ପାଦ ଥାଅ ଛୁଇଁ

 

ଅଶ୍ୱତ୍‌ଥ ବୃକ୍ଷ ଦେହ ଜାଣ

ତାଳୁକାରେ ମୋ ନିଜ ସ୍ଥାନ

 

ଦେହରେ ଅଶ୍ୱତ୍‌ଥ ନ ଥିଲେ

ଜୀବ ପରମ ଲୀନ ହେଲେ

 

 

ଜୀବେ ପରମ ବ୍ରହ୍ମେ ଲୀ ନ

ସେହି ବ୍ରହ୍ମଟି ଜ୍ୟୋତି ଜାଣ

 

ନିଜରୂପଟି ଅଟେ ସେହି

ବୃକ୍ଷ ମୂଳରେ ପ୍ରକାଶଇ

 

ତକ୍ଷଣେ ଶୂନ୍ୟେ ଚଳିଯାନ୍ତି

ମହାଶୂନ୍ୟରେ ସେ ରହନ୍ତି

 

କହଇ ବଳରାମ ଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ ୧୦

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଏକାଶୀତିତମୋଽଧ୍ୟାୟଃ ।

 

ଦ୍ୱାଶୀତିତମ ଅଧ୍ୟାୟ

 

ଅର୍ଜୁନ ଉବାଚ - ବୋଲେ ଅର୍ଜୁନ ଶୁଣ ହରି

କଥାଏ ଅଛଇ ମୋହରି

 

ପଦ୍ମନ ଛେଦି ଚକ୍ର ଗଲା

ତୁମ୍ଭର ହସ୍ତକୁ ନଇଲା

 

ପଦ୍ମନ କେ ଅବା ଅଟନ୍ତି

କେମନ୍ତେ ଚକ୍ରରେ ନାଶନ୍ତି

 

ଏ ଅର୍ଥ କହ ଆଦିମୂଳ

ଶରଣ ତୋ ପାଦ କମଳ

 

ଶ୍ରୀ ଭଗବାନୁବାଚ - କହନ୍ତି ପ୍ରଭୁ ବ୍ରହ୍ମରାଶି

ରଙ୍ଗ ଅଧରେ ମନ୍ଦ ହସି

 

ବକ୍ଷକୁ ବନ ବୋଲି କହି

ଅଲେଖ ବ୍ରହ୍ମ ଛନ୍ତି ରହି

 

 

ପ୍ରଳୟକାଳ ଯହୁଁ ହେଲା

ଶରୀର କାଳ ଆକର୍ଷିଲା

 

ପାଦରୁ ଅବଲୋକ ଯାଏ

ଜଳ ଘୋଟଇ ଅପ୍ରମୟେ

 

ତା’ ଦେଖି ପ୍ରଭୁ ଭଗବାନ

ବେଗେ ପେଶିଲେ ସୁଦର୍ଶନ

 

ଶୂନ୍ୟ ଶବଦ ସୁଦର୍ଶନ

ଚକ୍ଷୁରେ ଛାଡ଼ଇ ବହନ ୧୦

 

ଜ୍ୟୋତି ରୂପରେ ଛାଡ଼ିଗଲା

କୃଷ୍ଣର ହସ୍ତକୁ ନଇଲା ୧୧

 

ଶୁଣି ଅର୍ଜୁନ ହେଲେ ତୋଷ

ଭଣିଲେ ବଳରାମ ଦାସ ୧୨

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଦ୍ୱାଶୀତିତମୋଽଧ୍ୟାୟଃ ।

 

ତ୍ର୍ୟାଶୀତିତମ ଅଧ୍ୟାୟ

 

ଅର୍ଜୁନ ଉବାଚ –ଅର୍ଜୁନ ବୋଲେ ପ୍ରାଣନାଥ

ମନରେ ପଡ଼ିଲା ଯଥାର୍ଥ

 

ମୋର ନିବାସ ମାତ୍ର ଥିବ

ଜଳେ ଦ୍ୱାରକା ନାଶ ଯିବ

 

ଦ୍ୱାରକା ଜଳେ ବୁଡ଼ିଗଲା

ତୋର ନିବାସ ନ ବୁଡ଼ିଲା

 

ଏକଥା କହ ଭାବଗ୍ରାହୀ

ମୁଁ ତୁମ୍ଭ ସେବକ ଅଟଇ

 

ଶ୍ରୀଭଗବାନୁବାଚ -କହନ୍ତି ଦେବକୀ ନନ୍ଦନ

ଶୁଣ ହେ ପାଣ୍ଡବ ଅର୍ଜୁନ

 

ତାଳକାପୁର ଯେ ଅଟଇ

ଦ୍ୱାରକା ପୁର ତାକୁ କହି

 

 

ଶରୀରେ ସନ୍ନିପାତ ଗ୍ରାସି

ସେଠାରେ ନ ପାରଇ ପଶି

 

ତହିଁରେ ବ୍ରହ୍ମାଣ୍ଡ ଗୋସାଇଁ

ବିରାଜେ ଜ୍ୟୋତିରୂପ ହୋଇ

 

ବ୍ରହ୍ମ ପ୍ରଳୟ ହୋଇଯାଇ

ସମସ୍ତେ ଲୀନ ସେହିଠାଇଁ

 

କହଇ ବଳରାମଦାସ

ବ୍ରହ୍ମାଣ୍ଡ ଭୂଗୋଳ ପ୍ରକାଶ ୧୦

 

ଇତି ଶ୍ରୀ ବ୍ରହ୍ମାଣ୍ଡ ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ତ୍ର୍ୟାଶୀତିତମୋଽଧ୍ୟାୟଃ ।

 

ଚତୁରଶୀତିତମ ଅଧ୍ୟାୟ

 

ଅର୍ଜୁନ ଉବାଚ –ଅର୍ଜୁନ ବୋଲେ ଭଗବାନ

ତୁମ୍ଭେ ଯେ ଜଗତ ରକ୍ଷଣ

 

କୃଷ୍ଣ ବିଧବା ଯେତେ ନାରୀ

ମିଳିଲେ ଅଭିଷେକ କରି

 

କୃଷ୍ଣ ଯେ ନିଜପୁର ଗଲେ

କନ୍ୟାଏ ବିଧବା ହୋଇଲେ

 

ବିଧବା ହେଲେ କୃଷ୍ଣନାରୀ

କେମନ୍ତେ ଅଭିଷେକ କରି

 

ଏ କଥା ଫେଡ଼ି କହ ମୋତେ

ନମଇଁ ତୋର ପାଦ ଗତେ

 

ଶ୍ରୀ ଭଗବାନୁବାଚ – ଅର୍ଜୁନ ବାକ୍ୟେ ଭଗବାନ

କହନ୍ତି ଭୂଗୋଳ ବିଧାନ

 

 

ଦେହରୁ ଜୀବ ଛାଡ଼ିଗଲେ

କନ୍ୟାଏ ତହିଁ ଲୀନ ହେଲେ

 

କନ୍ୟାଙ୍କ ଅଭିଷେକ ଏହି

ମିଳିଲେ ଜ୍ୟୋତିବ୍ରହ୍ମେ ଯାଇଁ

 

କହଇ ବଳରାମଦାସ

ବ୍ରାହ୍ମଣ୍ଡ - ଭୂଗୋଳ ପ୍ରକାଶ

 

ଇତି ଶ୍ରୀ ବ୍ରହ୍ମାଣ୍ଡ-ଭୂଗୋଳ ବର୍ଣ୍ଣନେ ହରି ଅର୍ଜୁନ ସମ୍ବାଦେ ନାମ ଚତୁରଶୀତିତମୋଽଧ୍ୟାୟଃ ।